mahavir

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ଅଭିଯୋଗ

  • କାମ ଅଧୁରା, ଟଙ୍କା ଉଠୁଛି କାମ ପୂର୍ବରୁ
  • ମୁରିବାହାଲ ଗାଁରେ ନିୟମ ଉଲଂଘନ, ପ୍ଲିନ୍ଥ ଲେବଲ୍ ନହେଲେ ମଧ୍ୟ ମିଳୁଛି କିସ୍ତି

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ବଡ଼ ବାଙ୍କି ପଂଚାୟତର ମୁରିବହାଲ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) କାର୍ଯ୍ୟାନ୍ୱୟନରେ ଅନିୟମିତତା ଅଭିଯୋଗ ଉଠିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଘର ନିର୍ମାଣ କାମ ସଂପୂର୍ଣ୍ଣ ନହୋଇଥିବା ସତ୍ତ୍ୱେ ମଧ୍ୟ ଲାଭୁକମାନେ କିସ୍ତି ଟଙ୍କା ପାଉଛନ୍ତି । ସରକାରୀ ନିୟମ ଅନୁସାରେ, ଏହି ଯୋଜନାରେ ପ୍ରଥମ କିସ୍ତି ଭାବେ ୪୦,୦୦୦ ଟଙ୍କା, ଦ୍ୱିତୀୟ କିସ୍ତି ଭାବେ ପ୍ଲିନ୍ଥ ଲେବଲ୍ ସମ୍ପୂର୍ଣ୍ଣ ହେବା ପରେ ୬୫,୦୦୦ ଟଙ୍କା ଏବଂ ଶେଷ କିସ୍ତି ଭାବେ ୧୫,୦୦୦ ଟଙ୍କା ଦିଆଯାଏ । କିନ୍ତୁ ମୁରିବାହାଲ ଗାଁରେ ଏହି ନିୟମକୁ ଅଣଦେଖା କରି ପୂର୍ବରୁ ଟଙ୍କା ଉଠାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ, କେତେକ ଘରରେ ପ୍ଲିନ୍ଥ ଲେବଲ୍ କାମ ମଧ୍ୟ ଶେଷ ହୋଇନଥିବା ସତ୍ତ୍ୱେ ଦ୍ୱିତୀୟ କିସ୍ତି ଟଙ୍କା ଉଠାଯାଇଛି । ଏହା ଫଳରେ ସରକାରୀ ଧନର ଦୁରୁପଯୋଗ ହେଉଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକମାନେ ଏହି ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି । ଏହା ସହିତ, ଯୋଜନାର ସ୍ୱଚ୍ଛତା ରକ୍ଷା ପାଇଁ ଉଚ୍ଚ ସ୍ତରର ଯାଞ୍ଚ ଆବଶ୍ୟକ ଥିବା କଥା ମଧ୍ୟ ଉଠିଛି । ଏପରି ପରିସ୍ଥିତିରେ ପ୍ରଶାସନ କେବେ ଏହାକୁ ଗୁରୁତ୍ୱ ସହ କେତେ ଦୂର ପର୍ଯ୍ୟନ୍ତ ତଦନ୍ତ କରିବ ଓ ଦୋଷୀଙ୍କୁ ଦଣ୍ଡିତ କରିବ ସେଥିପାଇଁ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.