mahavir

ପୁଇଁନ୍ତଲାରେ ଆମ୍ବେଦକର ଜନ୍ମୋତ୍ସବ

  • ସାମାଜିକ ଓ ଆର୍ଥିକ ସମାନତା ନ ହେଲେ କ୍ରାନ୍ତି ହେବ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡ. ବି.ଆର. ଆମ୍ବେଦକର ଦେଶରେ ଜାତି ପ୍ରଥା, ଅସ୍ପୃଶ୍ୟତା ଓ ଦଳିତମାନଙ୍କ ଉପରେ ପ୍ରଚଳିତ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ସେଥି ପାଇଁ ତାଙ୍କ ନେତୃତ୍ୱରେ ତିଆରି ହୋଇଥିବା ଭାରତୀୟ ସମ୍ବିଧାନରେ ଦଳିତ ତଥା ଆର୍ଥିକ ସାମାଜିକ ଅନଗ୍ରସର ଲୋକେ ସମାଜର ସବୁବର୍ଗର ଲୋକଙ୍କ ସହ ସବୁ କ୍ଷେତ୍ର ଯଥା ଶିକ୍ଷା, ସଂସ୍କୃତି, ସାମାଜିକ, ଆର୍ଥିକ କ୍ଷେତ୍ରରେ ସମାନ ସୁବିଧା ପାଇବେ ତାହାକୁ ନିଶ୍ଚିତ କରିଥିଲେ କିନ୍ତୁ ଆଜି ଦେଖାଯାଉଛି ସମାଜରେ ଏପରି ଏକ ସାମାଜିକ ବ୍ୟବସ୍ଥା ସୃଷ୍ଟି ହୋଇଯାଇଛି ଯେ, ଏଠାରେ ଧନୀ ଧନୀ ହୋଇଚାଲିଛି ଗରିବ ଆହୁରି ଗରିବ ଆଡକୁ ଗତି କରୁଛି । ଆଜି ବି ଦେଶର ଅନେକ ଅଂଚଳରେ ଅସ୍ପୃଶ୍ୟତା ଭଳି ଘୃଣ୍ୟ ସାମାଜିକ ବ୍ୟବସ୍ଥା ଜାରି ରହିଛି । ଯଦି ସମାଜରେ ଦଳିତ, ଆର୍ଥିକ ଅନଗ୍ରସର ଲୋକଙ୍କ ଉତ୍ଥାନ ପାଇଁ ସରକାରୀ ବ୍ୟବସ୍ଥାରେ ସାମଜିକ ଓ ଅର୍ଥନୈତିକ ସମାନତା ପାଇଁ ଦୃଢ ପଦକ୍ଷେପ ନିଆନଯାଏ ତେବେ ଆଗାମୀ ଦିନରେ ନିଶ୍ଚିତ ଭାବରେ ଲୋକେ କ୍ରାନ୍ତିର ପନ୍ଥା ଅବଲମ୍ବନ କରିବେ ବୋଲି ପୁଇଁନ୍ତଲା ବ୍ଲକ ପୁଇଁନ୍ତଲା ଠାରେ ଅନୁଷ୍ଠିତ ହୋଇଥିବା ବାବା ସାହେବ ଆମ୍ବେଦକରଙ୍କ ଜନ୍ମତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ବାବା ସାହେବ ଦଳିତମାନଙ୍କ ସଶକ୍ତିକରଣ, ଶିକ୍ଷାରେ ବିକାଶ ଏବଂ ଦଳିତମାନେ ଯେପରି ସାମାଜିକ ନିର୍ବାସନ ପରି ଘୃଣ୍ୟ ଅତ୍ୟାଚାରୁ ମୁକୁଳିପାରିବେ ସେ ଦିଗରେ ବହୁ ପଦକ୍ଷେପ ନେଇଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପ୍ରଫେସର ବଂଶୀଧର ଦୀପ ବାବା ସାହେବଙ୍କ ତିନୋଟି ମୂଳମନ୍ତ୍ର ଶିକ୍ଷା, ସଂଘର୍ଷ ଏବଂ ସଂଗଠିତ ହେବା ଉପରେ ବକ୍ତବ୍ୟ ରଖିଥିଲେ । ଲୋକେ ଗୁଣାତ୍ମକ ଶିକ୍ଷା ପାଇଲେ ହିଁ ଭଲମନ୍ଦ ଜାଣିପାରିବେ ଏବଂ ନିଜର ଅଧିକାର ପାଇଁ ସଂଗଠିତ ହୋଇ କୁଶିକ୍ଷା, କୁସଂସ୍କାର ବିରୁଦ୍ଧରେ ଲଢେଇ କରି ନିଜ ଅଧିକାର ପାଇପାରିବେ ବୋଲି ସେ କହିଥିଲେ । ଆମ୍ବେଦକର କ୍ଲବର ସଭାପତି ଜ୍ୟୋତିଷ ମୁଗ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ବିଭୁତି ସୁନା କାର୍ଯ୍ୟକ୍ରମର ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଗବେଷଣ ଡା. ବାସନ୍ତି ନନ୍ଦ, ଜନ୍ମେଜୟ ବାରିକ, ପଶ୍ଚିମ ଓଡିଶା ମହିଳା ସଂଗଠନ ସଭାନେତ୍ରୀ ସବିତା ନନ୍ଦ, କବି ଲୋକନାଥ ସୁନା, ଧିମାନ ଦଣ୍ଡୁଆ କୁମ୍ଭାର, ସମାଜସେବୀ ଆକାଶ ସାଗର, ତପି ସୁନା, ୟୁଟ୍ୟୁବର ସସ୍ମିତା ସାଗରଙ୍କୁ ଅତିଥିମାନଙ୍କ ଦ୍ୱାରା ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ପଶ୍ଚିମ ଓଡିଶା ଲକ୍ଷେଘର ଗଣ୍ଡା ସମାଜ ସଭାପତି ଓମ୍‌ ପ୍ରକାଶ କୁମ୍ଭାର, ଜିଲ୍ଲା ଲକ୍ଷେଘର ଗଣ୍ଡା ସମାଜ ସଭାପତି ସତ୍ୟାନନ୍ଦ ସୁନା, ଅଭିଭାବକ ସଂଘ ସଭାପତି ସୀତାରାମ କୁମ୍ଭାର ପ୍ରମୁଖ ମଂଚାସୀନ ଥିବା ବେଳେ ଜପ ମୁଗ୍ରୀ, ପିଣ୍ଟୁ ବାଗ, ତେଜେଶ୍ୱର ମୁଗ୍ରୀ, ବିନୋଦ ମୁଗ୍ରୀ, ବୃନ୍ଦା ମୁଗ୍ରୀ, ଦିପା ମୁଗ୍ରୀ, ସସ୍ମିତା ବାଗ, ମିନା ସୁନା, କଲକଲି ମୁଗ୍ରୀ ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.