
- ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବଭାରତୀୟ ମହିଳା କଂଗ୍ରେସର ସଭାନେତ୍ରୀ ଅଳକା ଲାମ୍ବାଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲା ସଭାନେତ୍ରୀ ଭାବେ ଆଗଲପୁର ବ୍ଲକର ନାରୀ ନେତ୍ରୀ ଜୟନ୍ତୀ ପଟେଲ ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ଏହି ନିଯୁକ୍ତିକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ସ୍ୱାଗତ କରିବା ସହ ଶ୍ରୀମତୀ ପଟେଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଜୟନ୍ତୀ ପଟେଲ ଜଣେ ଲଢୁଆ ନେତ୍ରୀ, ଦୀର୍ଘ ବର୍ଷ ହେବ ସେ ଅଂଚଳର କେବଳ ମହିଳା ନୁହଁନ୍ତି ଛାତ୍ର, ଯୁବକ, କୃଷକ ଓ ଶ୍ରମିକ ସମସ୍ତଙ୍କ ପାଇଁ ଅଧିକାରର ଲଢେଇ ଲଢୁଛନ୍ତି । ସେ ଏକ କଂଗ୍ରେସ ପରିବାରରୁ ଆସିଥିବାରୁ ଏବଂ ପଂଚାୟତ ସ୍ତର ରାଜନୀତିରେ ବିଶେଷ ଅଭିଜ୍ଞତା ଥିବାରୁ ମହିଳା ସୁରକ୍ଷା ତଥା ଅଧିକାରର ଲଢେଇକୁ ଠିକ୍ ହିସାବରେ ନେତୃତ୍ୱ ନେବା ସହ ସାଧାରଣ ଜନତାଙ୍କ ସ୍ୱର ହୋଇ ଆଗାମୀ ଦିନରେ କାମ କରିବେ । ତାଙ୍କର ଏହି ଜିଲ୍ଲା ସଭାପତି ଭାବରେ ନୂତନ ନିଯୁକ୍ତି ନିଶ୍ଚିତ ଭାବରେ ବଲାଙ୍ଗିରର ରାଜନୈତିକ ଚିତ୍ରପଟ୍ଟରେ ବିଶେଷ ପ୍ରଭାବ ପକାଇବ । ଆହୁରି ମଧ୍ୟ ତାଙ୍କ ନିଯୁକ୍ତି ଯୋଗୁଁ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା, ଅଶୋକ ନନ୍ଦ, ମନୀଷ ମିଶ୍ର, ସନ୍ତକ ବହିଦାର, ନଗର ସଭାପତି ବୁଲୁ ଦାନୀ, ଅସୀତ ମିଶ୍ର, ଉମାଶଙ୍କର ପଣ୍ଡା, କୈଳାସ ମିଶ୍ର, ଅରବିନ୍ଦ ସାହୁ, ଚାଷୀନେତା ସାନନ୍ଦ ମିଶ୍ର, ଜୁଲୁ ପଟ୍ଟନାୟକ, ଯୁବନେତା ଅଙ୍କିତ ସାହୁ, ଲୋପନ ମିଶ୍ର, ନାସିର ଖାନ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀମତୀ ପଟେଲ ୨୦୧୨ ମସିହାରେ ରାଜନୀତିରେ ଯୋଗ ଦେଇ ଆଗଲପୁର ବ୍ଲକ ଉପରବାହାଲ ପଂଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଆଗଲପୁର ବ୍ଲକର ଅଧ୍ୟକ୍ଷା ଭାବେ ସଫଳତା ସହ କାର୍ଯ୍ୟ ତୁଳାଇଥିଲେ । ପୁଣି ୨୦୧୭ ମସିହାରେ ସେ ବେନ୍ଦ୍ରା ପଂଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ସ୍ୱାମୀ ମନମୋହନ ପଟେଲ ମଧ୍ୟ ପଂଚାୟତିରାଜ ରାଜନୀତିରେ ୨୦୦୨ ମସିହାରେ ସରପଂଚ, ୨୦୦୭ ମସିହାରେ ବ୍ଲକ ଉପାଧ୍ୟକ୍ଷ ତଥା ୨୦୧୭ ମସିହାରେ ବ୍ଲକ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ ତୁଳାଇଥିଲେ । ତେଣୁ ଏକ ରାଜନୈତିକ ପରିବାରରୁ ଶ୍ରୀମତୀ ପଟେଲ ଆସିଥିବାରୁ ଜିଲ୍ଲାର ମହିଳାମାନଙ୍କ ଅଧିକାରର ଲଢେଇରେ ସେ ଜିଲ୍ଲାର ସଠିକ ନେତୃତ୍ୱ ନେଇ ପାରିବେ ବୋଲି ସମସ୍ତଙ୍କ ଆଶା ।