
ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଭାବେ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସଚ୍ଚିଦାନନ୍ଦ ନାୟକ ପଦବୀ ଅଳଙ୍କୃତ କରିଛନ୍ତି । ଏନେଇ ଆନୁଷ୍ଠାନିକ ଭାବେ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୦୦ ମସିହାର ଓ.ଏ.ଏସ୍. ବେଚ୍ ଅଟନ୍ତି । ଏନେଇ ଏପ୍ରିଲ ୨୩ ତାରିଖ ଚିଠି ନମ୍ବର ୧୨୭୦୨/ଏସସିଏସ ପ୍ରକାରେ ଶ୍ରୀ ନାୟକ ଆଜି ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଏହି ପଦବୀରେ ଦୀର୍ଘ ଦିନ ଧରି ଦାୟିତ୍ୱ ନିର୍ବାହ କରି ଆସିଥିବା ଅତିରିକ୍ତ ଜିଲ୍ଲାପାଳ ଥିବା ପ୍ରମୋଦ କୁମାର ପୃଷ୍ଟିଙ୍କୁ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ବରିଷ୍ଠ ଓ.ଏ.ଏସ୍. ଅଧିକାରୀ ସଚ୍ଚିଦାନନ୍ଦ ନାୟକ ଏଥି ପୂର୍ବରୁ ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାରେ ଦକ୍ଷତାର ସହ କାର୍ଯ୍ୟ କରି ଆସିଛନ୍ତି । ଏହା ସହ ଛତ୍ରପୁରରେ ଅତିରିକ୍ତ ଉପ-ଜିଲ୍ଲାପାଳ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଏମକେସିଜି (ବଡ଼ ମେଡ଼ିକାଲ) ବ୍ରହ୍ମପୁର ପ୍ରଶାସନିକ ଅଧିକାରୀ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ ଦୀର୍ଘ ଦିନ ଧରି ଦାୟିତ୍ଵ ତୁଳାଇ ଆସି ଗଞ୍ଜାମ ଜିଲ୍ଲା ତଥା ସଦର ମହକୁମା ଛତ୍ରପୁର ଅଞ୍ଚଳର ବିକାଶ ପାଇଁ ତାଙ୍କର ଉଦ୍ୟମ ଅତୁଳନୀୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଆଗକୁ ପଞ୍ଚାୟତ ଓ ପୈାର ନିର୍ବାଚନ ରହିଛି, ସେ ସମସ୍ତ ଦାୟିତ୍ୱ ଯେପରି ଶାନ୍ତିଶୃଙ୍ଖଳାର ସହ ସୁରୁଖୁରୁରେ ପରିଚାଳନା ହୋଇ ପାରିବ ସେ ଦିଗରେ ଦୃଷ୍ଟି ଦେଇ ସେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ୍ୟ ସମସ୍ତଙ୍କୁ ନେଇ ମିଳିମିଶି କାମ କରିବେ ବୋଲି ଶ୍ରୀ ନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏହି ଅବସରରେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସାଧାରଣ ସମ୍ପାଦକ ଅଜିତ ସ୍ୱାଇଁଙ୍କ ନେତ୍ତୃତ୍ଵରେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରେସ କ୍ଲବ ସଭାପତି ସରୋଜ ସାମଲ, ସାଧାରଣ ସମ୍ପାଦକ ଅଜିତ ସ୍ୱାଇଁ, କୋଷାଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ସୁଧିର କୁମାର ନାହାକ, ଦେବବ୍ରତ ପଣ୍ଡା, ସୁଜୟ ସୁପ୍ରକାଶ ଧଳ ଓ ବରିଷ୍ଠ ସାମ୍ବାଦିକ କେ. ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।