
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର କଲେଜ ଅର୍ଥନୀତି ବିଭାଗର ଅଧ୍ୟାପକ ତଥା ପୂର୍ବତନ ଅଧ୍ୟକ୍ଷ ପ୍ରଶନ୍ନ କୁମାର ଛୋଟରାୟ (୮୪)ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ତଥା ଶୋକସଭା ସୋନପୁର କଲେଜ ପୁରାତନ ଛାତ୍ରସଂଘ ପକ୍ଷରୁ ସୋନପୁର ପଞ୍ଚରଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏପ୍ରିଲ ୨୦ ତାରିଖ ଦିନ ସକାଳେ ତାଙ୍କ ଦେହାନ୍ତ ହୋଇଯାଇଛି । ଏହି ଖବର ଜଣାପଡ଼ିବା ପରେ ବ୍ରହ୍ମପୁର ଓ ସୋନପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ଛୋଟରାୟ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗରେ ଶିକ୍ଷାଲାଭ କରି ନିଜ କ୍ୟାରିଅର ଗଢ଼ିଥିବା ବେଳେ ଓଡ଼ିଶାର ସ୍ୱାଭିମାନୀ ନେତା ତଥା ବିଧାୟକ ବାଳ ଗୋପାଳ ମିଶ୍ରଙ୍କ ସହପାଠୀ ତଥା କକ୍ଷପାଠୀ ଥିଲେ । ସେ ୧୯୬୪ ମସିହାରେ ସୋନପୁର କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେଇଥିବା ବେଳେ ୧୯୯୦ ମସିହା ଯାଏଁ ସେ ଖୁବ୍ ନିଷ୍ଠା ଶୃଂଖଳାର ସହ କାର୍ଯ୍ୟଭାର ତୁଲାଇ ଆସିଥିଲେ । ଅନେକ ସମୟରେ ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟଭାର ଗ୍ରହଣ କରି କଲେଜର ଶ୍ରେଣୀ ଗୃହ ଓ ଭିତ୍ତିଭୂମିର ବିକାଶ କରାଇ ବେଶ୍ ସୁନାମ ଅର୍ଜନ କରିଥିଲେ । ଶ୍ରୀ ଛୋଟରାୟ ଜଣେ ଛାତ୍ର ବତ୍ସଳ, ଶାନ୍ତ ପ୍ରିୟ ଓ ଅମାୟିକ ବ୍ୟକ୍ତିତ୍ୱ ଥିବା ବେଳେ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ସୋନପୁରରେ ତାଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ତାଙ୍କର ଶହ ଶହ ଛାତ୍ରଛାତ୍ରୀ ନେସନାଲ ବ୍ୟାଙ୍କ ଓ ନାବାର୍ଡରେ ନିଯୁକ୍ତ ହୋଇଥିବା ବେଳେ ତାଙ୍କ ଶିକ୍ଷାଦାନ ବେଳେ ସୋନପୁର ଅର୍ଥନୀତି ବିଭାଗର ଗୋଟେ ସୁବର୍ଣ୍ଣ ଯୁଗ ମନେ ହେଉଥିଲା ବୋଲି ପୁରାତନ ଛାତ୍ରମାନେ ପ୍ରକାଶ କରିଛନ୍ତି ଓ ଅର୍ଥନୀତି ବିଭାଗର ଏହି ଭଳି ଜଣେ ପ୍ରାଧ୍ୟାପକଙ୍କ ବିୟୋଗରେ ଆମେ ମର୍ମାହତ ବୋଲି କହିଥିଲେ । ସୋନପୁରରୁ ବଦଳି ପରେ ସେ ଗୁଣୁପୁର ଗଞ୍ଜାମରେ ଅଧ୍ୟାପନା କରିବା ସହ ବାଲେଶ୍ୱର ଆଡ୍ଡା ରୋଡ କଲେଜର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ ଓ ଶ୍ରୀ ଛୋଟରାୟ ସୋନପୁର କଲେଜ୍ ସମେତ ସବୁଠି ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିଥିଲେ । ସବୁଠି ଯେମିତି ତାଙ୍କ ଆନ୍ତରିକତା ଥିଲା ତାଙ୍କ ପ୍ରତି ଛାତ୍ରଛାତ୍ରୀ ଅଭିଭାବକ ଓ କଲେଜ୍ କର୍ମଚାରୀଙ୍କ ଯଥେଷ୍ଟ ସମ୍ମାନ ମଧ୍ୟ ରହିଥିଲା । ଶ୍ରୀ ଛୋଟରାୟଙ୍କ ଅନେକ ସମୟରେ ସୋନପୁର ଅଞ୍ଚଳ ଉପରେ ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକା ଓ ମାଗାଜିନରେ ପ୍ରକାଶ ପାଇଛି । ବ୍ରହ୍ମପୁର ବାସଭବନରେ ଶ୍ରୀ ଛୋଟରାୟଙ୍କ ମୃତ୍ୟୁ ହୋଇଥିବା ସମୟରେ ତାଙ୍କ ଏକ ମାତ୍ର ପୁଅ ବିବେକାନନ୍ଦ (ବାପି) ଓ ତିନି ଝିଅ ଆତ୍ମୀୟ ସ୍ଵଜନ ଉପସ୍ଥିତି ଥିଲେ । ସ୍ଥାନୀୟ ସ୍ଵର୍ଗଦ୍ଵାର ଠାରେ ଅନ୍ତିମ ସଂସ୍କାରରେ ବାପି ମୁଖାଗ୍ନି ଦେଇଥିଲେ । ପୁରାତନ ଛାତ୍ର ସଂଘର ପକ୍ଷରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ଓ ସମ୍ପାଦକ ଭାରତ ଭୂଷଣ ଦାଶଙ୍କ ସମେତ ଅନେକ ପୁରାତନ ଛାତ୍ର ଉପସ୍ଥିତ ରହି ଶ୍ରୀ ଛୋଟରାୟଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ସ୍ମୃତି ଚାରଣ କରିଥିଲେ ।