mahavir

ନୃସିଂହନାଥ ପୀଠରେ ରଙ୍ଗୋଲି ପ୍ରତିଯୋଗିତା ଓ ଚିତ୍ରକଳା ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା-୨୦୨୬ ଅବସରରେ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଏକ ଭବ୍ୟ ରଙ୍ଗୋଲି ପ୍ରତିଯୋଗିତା ଓ ଚିତ୍ରକଳା ଶିବିର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅପ୍ରେଲ ୨୬ରୁ ମେ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମେଳା ପୂର୍ବରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରତିଭାବାନ ପ୍ରତିଯୋଗୀମାନେ ଅଂଶଗ୍ରହଣ କରି ନିଜର କଳା ପ୍ରଦର୍ଶନ କରିଥିଲେ । ବରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଉପ ଜିଲ୍ଲାପାଳ ହେମସାଗର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ତାହିର୍ ହୁସେନ୍, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନତ ପାଢ଼ୀ ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ମନ୍ଦିର ଟ୍ରଷ୍ଟି ଦୀପକ ସିହ୍ନା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଆୟୋଜିତ ରଙ୍ଗୋଲି ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ପ୍ରଖର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ଶିବାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ‘ଜୟ ଗୋପାଳ ଗ୍ରୁପ’ ଶ୍ରେଷ୍ଠ ବିବେଚିତ ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାଜଖରିଆରର ଦିଗବିଜୟ ସିଂହ ଦ୍ୱିତୀୟ ଏବଂ ‘ଲିଟିଲ୍ ଏଞ୍ଜେଲ୍’ ଗ୍ରୁପ୍ ତୃତୀୟ ସ୍ଥାନ ହାସଲ କରିଥିଲେ । ଏହା ସହିତ ଆୟୋଜିତ ଚିତ୍ରକଳା ଶିବିରରେ ମୋଟ ୧୫ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରି ଭାବଗ୍ରାହୀ ଚିତ୍ରମାନ ଅଙ୍କନ କରିଥିଲେ । ଶିବିର ଶେଷରେ ଅତିଥିମାନେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରିବା ସହ ସେମାନଙ୍କର ପ୍ରତିଭାକୁ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରଭୁ ନୃସିଂହନାଥଙ୍କ ପବିତ୍ର ବୈଶାଖ ମେଳା ପାଇଁ ଏବେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି । ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ଏହିପରି କଳା ଓ ସଂସ୍କୃତି ଭିତ୍ତିକ କାର୍ଯ୍ୟକ୍ରମ ମେଳାର ମାହୋଲକୁ ଆହୁରି ମନୋରମ କରିଛି । ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କନିଷ୍ଠ ସହାୟକ ଆଲୋକ ଗରିଆ କାର୍ଯ୍ୟକ୍ରମର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.