
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଟାଉନହଲ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ -୨୦୨୬ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଓ ସୋନପୁର ବ୍ଲକ ସ୍ତରୀୟ ସମାରୋହ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହ୍ଲାଦ ନାଏକ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓ ସମାଜସେବୀ ବେଣୁଧର ଦାସ ଓ ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କାଳିଆ ମଲ୍ଲିକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଇଂ ରଘୁନାଥ ଜଗଦଲା କହିଥିଲେ ୧୯୯୩ ମସିହାରେ ପଞ୍ଚାୟତି ରାଜ ବ୍ୟବସ୍ଥାର ଆରମ୍ଭ ହେବା ପରେ ଗ୍ରାମୀଣ ଅଞ୍ଚଳକୁ ସରକାରୀ ସୁବିଧା ସିଧାସଳଖ ପହଞ୍ଚୁଛି । ଗ୍ରାମସଭା ମାଧ୍ୟମରେ ପ୍ରକୃତ ହିତାଧିକାରୀ ଚୟନ ତଥା ବିଭିନ୍ନ ଯୋଜନା ମାଧ୍ୟମରେ ଗାଁର ବିକାଶ ସୁନିଶ୍ଚିତ ହେଉଛି ଏବଂ ସେ ଏହି ଅବସରରେ ସମସ୍ତଙ୍କୁ ଜିଲ୍ଲାର ବିକାଶରେ ସହଭାଗୀ ହେବାକୁ ଆହ୍ୱାନ ଜଣାଇଥିଲେ । ସଭାପତି ତଥା ମୁଖ୍ୟବକ୍ତା ଜିଲ୍ଲାପାଳ ଡ. ନୃପରାଜ ସାହୁ ସମସ୍ତ ଅତିଥି ତଥା ଉପସ୍ଥିତ ପଞ୍ଚାୟତ ପ୍ରତିନିଧି, ଜନସାଧାରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସଦସ୍ୟା ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇବା ସହିତ ତାଙ୍କ ଅଭିଭାଷଣରେ କହିଥିଲେ ପଞ୍ଚାୟତି ରାଜ ବ୍ୟବସ୍ଥା ହେଉଛି ଏକ ପ୍ରମୁଖ ତୃଣମୂଳ ସ୍ତରରେ ସୁଶାସନ ଓ ଲୋକଙ୍କ ସଶକ୍ତିକରଣ ପାଇଁ ଏକ ମୁଖ୍ୟ ମାଧ୍ୟମ । ଏହି ଅବସରରେ ଅତିଥିଙ୍କ ଦ୍ଵାରା ସୋନପୁର ବ୍ଲକରେ ଅନ୍ତ୍ୟୋଦୟ ଯୋଜନାରେ ୧୦୪ ଗୋଟି କାର୍ଯ୍ୟଦେଶ ବଣ୍ଟନ କରାଯାଇଥିବା ବେଳେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକରେ ମୋଟ ୭୪୬ ଗୋଟି ଅନ୍ତ୍ୟୋଦୟ ଯୋଜନାର କାର୍ଯ୍ୟଦେଶ ବଣ୍ଟନ କରାଯାଇଥିଲା । ସେହିପରି ସୋନପୁର ବ୍ଲକରେ ଅନ୍ୟାନ୍ୟ ଯୋଜନାର କାର୍ଯ୍ୟାଦେଶ ଓ ୧୬ ଗୋଟି ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଥିଲା । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଗୋଷ୍ଠୀ ନିବେଶ ରାଶି ଓ ବ୍ୟକ୍ତିଗତ ପାଇଖାନା ପାଇଁ ପ୍ରତୀକାତ୍ମକ ଚେକ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ ସୋନପୁର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ । ଉପସ୍ଥିତ ସମସ୍ତେ ଆଭାଷୀ ମାଧ୍ୟମରେ ବାଲାଙ୍ଗିରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ତଥା ମୁଖ୍ୟମନ୍ତ୍ରୀଙ୍କ ଲାଇଭ ଷ୍ଟ୍ରିମିଙ୍ଗ ଦେଖିଥିଲେ । ଶେଷରେ ପଞ୍ଚାୟତି ସମିତି ସଭ୍ୟ ଓ ସରପଞ୍ଚମାନଙ୍କୁ ସମ୍ମାନିତ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତୀକ କର ଏବଂ ମଞ୍ଚ ପରିଚାଳନା କରିଥିଲେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୌରଭ ଦାନୀ ।