mahavir

ପଦ୍ମପୁରରେ ଉତ୍କଟ ପାନୀୟ ଜଳ ସମସ୍ୟା, ଜନଜୀବନ ଅସ୍ତବ୍ୟସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମଣିଷ ଜୀବନର ଏକ ମୂଳତତ୍ତ୍ୱ ହେଉଛି ପାଣି । ତେଣୁ କୁହାଯାଏ ଜଳ ହିଁ ଜୀବନ । ପିଇବା ପାଇଁ ପାଣି ପ୍ରତ୍ୟେକ ମନୁଷ୍ୟର ମୌଳିକ ତଥା ସାମାଜିକ ଅଧିକାର ରହିଛି । କିନ୍ତୁ ପଦ୍ମପୁରରେ ଚିରଚରିତ ସମସ୍ୟାରେ ପରିଣତ ହୋଇସାରିଛି ପନୀୟ ଜଳ ସମସ୍ୟା । ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ନା ପ୍ରଶାସନ ନା ପୂର୍ବ ସରକାର କେହି ବି ସମସ୍ୟାର ଚିର ଓ ସ୍ଥାୟୀ ସମାଧାନ ପାଇଁ ଇଚ୍ଛା ପ୍ରକାଶ କରିନାହାନ୍ତି । ଯାହା ଫଳରେ ଆଜି ପଦ୍ମପୁର ଜନସାଧାରଣ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ଅନ୍ୟପଟେ ପୂର୍ବ ସରକାରଙ୍କ ସମୟରେ ଲୋକଙ୍କୁ ଆଶା ଦେଖାଇ ଜଳ ସମସ୍ୟା ନିରାକରଣ ନାଁରେ ପ୍ରାୟ ୭୦କୋଟି ଟଙ୍କା ବ୍ୟୟରେ ଅଙ୍ଗ ନଦୀ ଉପରେ ଏକ ବ୍ୟାରେଜ ନିର୍ମାଣ କରାଗଲା ହେଲେ ସଠିକ ପର୍ଯ୍ୟବେକ୍ଷଣ ଓ ନିମ୍ନମାନର ଯୋଜନା ଯୋଗୁଁ ଏହାର ଜଳ ଧାରଣ କ୍ଷମତା ନାହିଁ ସଦୃଶ୍ୟ । ଏପ୍ରିଲ ମାସରେ ଏହି ବ୍ୟାରେଜରେ ୪ ମିଟର ପାଣି ରହିବା କଥା କିନ୍ତୁ ଦୁଃଖର କଥା ଜାନୁଆରୀ ମାସରେ ଏହି ବ୍ୟାରେଜରେ ୪ ମିଟର ପାଣି ରହୁନାହିଁ । ଏହି ତ୍ରୁଟି କାହାର । କାହା ପାଇଁ ପଦ୍ମପୁର ଜନସାଧାରଣ ପାଣି ପାଇଁ ଏତେ ଡହଳ ବିକଳ ହେଉଛନ୍ତି । କୋଟି କୋଟି ଟଙ୍କା କାହା ସ୍ୱାର୍ଥ ପାଇଁ ଖର୍ଚ୍ଚ ହୋଇଛି । ଅନ୍ୟପଟେ ପଦ୍ମପୁରକୁ ପାଣି ଯୋଗାଉଥିବା ନାଗେନ ଦର୍ହା ଇଣ୍ଟେକ ୱେଲ ପାଖରେ ମଧ୍ୟ ସ୍ଥୟୀ ଆନିକଟ ପାଇଁ ଦାବି ହେଉଥିଲେ ସୁଦ୍ଧା କୌଣସି ପ୍ରଶାସନିକ ଇଚ୍ଛା ବା ଯୋଜନା ଆଖିଦୃଶିଆ ହେଉନାହିଁ ଫଳରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ବ୍ୟୟରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଯାଉଛି ଯାହାର ସିଧା ପ୍ରଭାବ ଟ୍ୟାକ୍ସ ମାଧ୍ୟମରେ ଜନସାଧାରଣ ଉପରେ ପଡୁଛି । ଚଳିତ ସରକାର ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ଜନସାଧାଣ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.