
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତେଲୁଗୁ ସଂସ୍କୃତି ସମାଜ ଏବଂ ବାଲାଜୀ ସାଂସ୍କୃତିକ ସଂଗଠନର ମିଳିତ ସୌଜନ୍ୟରେ ଛତ୍ରପୁର ରିଡିଙ୍ଗ ରୁମ୍ ପଡ଼ିଆରେ ବୁଧବାର ସନ୍ଧ୍ୟାରେ ଏକ ମନୋଜ୍ଞ ସାଂସ୍କୃତିକ ବାତାବରଣ ମଧ୍ୟରେ ତେଲୁଗୁ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ପରିବେଷଣ ହୋଇଯାଇଛି । ପ୍ରଖ୍ୟାତ ପୁରୋହିତ ରାଙ୍ଗାଭଟ୍ଟାଲୁ ଧନଞ୍ଜୟ ଆଚାର୍ଯ୍ୟଲୁଙ୍କ ଦ୍ଵାରା ବିଦ୍ଧିବଦ୍ଧ ଭାବେ ଶାସ୍ତ୍ରମତେ ଦୀପ ପ୍ରଜ୍ୱଳନ ବେଳେ ବେଦମନ୍ତ୍ର ଉଚ୍ଚାରଣ କରିଥିଲେ ।
ଅତିଥୀମାନଙ୍କ ଦ୍ଵାରା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା । ଶ୍ରୀ ଶ୍ରୀ ବାଲାଜୀ ସ୍ୱାମୀଙ୍କ ବିବାହ କଲ୍ୟାଣ ଉତ୍ସବ ପାଳନର ପରବର୍ତ୍ତୀ କାଳରେ ଏଭଳି ସାଂସ୍କୃତିକ କଳା ମଣ୍ଡପରେ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଏକ ମନୋରଞ୍ଜନ କାର୍ଯ୍ୟକ୍ରମର ଅୟୋଜନ କରାଯିବାର ସ୍ୱତନ୍ତ୍ର ବିଧି ରହିଛି । ଯାହାକି ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆନ୍ଧ୍ର ପ୍ରଦେଶରୁ ଆସିଥିବା ବହୁ ଗଣ୍ୟମାନ୍ୟ ପ୍ରତିଷ୍ଠିତ କଳାକାର କଣ୍ଠଶିଳ୍ପୀ ଯୋଗଦେଇ କଣ୍ଠ ଦାନ କରିଛନ୍ତି । ପୂର୍ଣ୍ଣ ବାଦ୍ୟଯନ୍ତ୍ର ଧ୍ୱନି ସାଂଗକୁ ସଙ୍ଗୀତ ସ୍ୱର, ଲୟ ତାଳରେ ନିଜ ନିଜର ପାରଦର୍ଶିତାର ସହ ମଞ୍ଚରେ ପରିବେଷଣ କରି ଅଗଣିତ ଦର୍ଶକଙ୍କୁ ବିମୋହିତ କରିଛନ୍ତି । ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ତେଲୁଗୁ ଶାସ୍ତ୍ରୀୟ ସଙ୍ଗୀତ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ବି.ଏ. ନାରାୟଣ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ ଏବଂ ଉତ୍କର୍ଷତାର ସହ ତେଲୁଗୁ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ ।
ଏଥି ସାଂଗକୁ ପ୍ରଖ୍ୟାତ କଣ୍ଠଶିଳ୍ପୀ ବି. ରାବଣା ମୂର୍ତ୍ତି ଓ ସାଥୀ, (ଶ୍ରୀକାକୁଲମ), ବାଦ୍ୟଯନ୍ତ୍ରରେ ସୋମେଶ (ଶ୍ରୀକାକୁଲମ), କୋର୍ମା ନାଦମ୍, ପାରଳାଖେମୁଣ୍ଡି, ଶ୍ରିମତୀ ନିରୋସା ରେଡ୍ଡୀ (ଛତ୍ରପୁର), ପ୍ରମୁଖ ଏହି ଶାସ୍ତ୍ରୀୟ ସଙ୍ଗୀତ ସମାରୋହରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଛତ୍ରପୁରର ଅଗ୍ରଣୀ ସଂଗଠନ ଡ୍ରିମ୍ ଡେନସ୍ ଏକାଡେମୀ ପକ୍ଷରୁ ଆଞ୍ଚଳିକସ୍ତରର କଳାକାରମାନଙ୍କ ଦ୍ୱାରା ଗୋଷ୍ଠୀ ନୃତ୍ୟ ପରିବେଷଣ ହୋଇଥିଲା । ଆବାହକ ତଥା ମୁଖ୍ୟ ଉଦ୍ୟକ୍ତା ଆଇନଜୀବୀ ବି. ଶ୍ରୀନିବାସ ଏହି ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ଛତ୍ରପୁର ପୌରପାଳିକା ଅଞ୍ଚଳର ବହୁ ବୁଦ୍ଧିଜୀବୀ, ତେଲୁଗୁ ସଂସ୍କୃତି ପ୍ରେମୀ ଯୋଗଦେଇ ଏହାକୁ ଆନନ୍ଦ ଓ ଉଲ୍ଲାସର ସହ ଉପଭୋଗ କରିଥିଲେ ।