
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ହାଇଟେକ୍ ସର୍ଭେ ନାମରେ ଦୀର୍ଘ ୧୦ ବର୍ଷ ହେବ ଲାଗି ରହିଥିବା ଜମି ପଟ୍ଟା ସମସ୍ୟାର ଅନ୍ତ । ଜମିପଟ୍ଟା ନ ପାଇ ଜିଲ୍ଲାର ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ । ଜିଲ୍ଲାବାସୀଙ୍କୁ ଆଜି ଠାରୁ ଜମିପଟ୍ଟା ବଣ୍ଟନ କରିବ ଜିଲ୍ଲା ପ୍ରଶାସନ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଡ଼. ନୃପରାଜ ସାହୁ । ସେ କହିଛନ୍ତି ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବୀକୁ ପ୍ରଶାସନ ଗୁରୁତର ସହ ନେଇ ସରକାରଙ୍କ ଠାରେ ଉପସ୍ଥାପନ କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହି ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ହାଇଟେକ୍ ସର୍ଭେକୁ ଶୀଘ୍ର ସାରିବା ସହ ଜମି ପଟ୍ଟା ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଆଜି ଠାରୁ ଜିଲ୍ଲାର ସମସ୍ତ ୬ ଗୋଟି ବ୍ଲକର ବିଭିନ୍ନ ସ୍ଥାନରେ ଏନେଇ ସ୍ୱତନ୍ତ୍ର କ୍ୟାମ୍ପ ମାଧ୍ୟମରେ ପଟ୍ଟା ବଣ୍ଟନ ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ସୋନପୁର ଉପ ଜିଲ୍ଲାପାଳ ସୌମ୍ୟାରୂପା ରଥ, ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର ଉପସ୍ଥିତ ରହିବା ସହ ଗଣମାଧ୍ୟମକୁ ସମସ୍ତ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାରେ ଜମିପଟ୍ଟା ନ ପାଇ ଲୋକେ ନାନା ହଇରାଣ ହେଉଥିବା ବେଳେ ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ପାଖକୁ ଅଭିଯୋଗ ଆସୁଥିଲା । ଏହାକୁ ଗୁରୁତର ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ସାହୁ ନେବା ସହ ବିଭାଗକୁ ଜଣାଇଥିଲେ । ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କାଳରେ ମଧ୍ୟ ଏନେଇ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ମଧ୍ୟ ଏହାକୁ ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜି ହାଇଟେକ୍ ଜମିପଟ୍ଟା ବଣ୍ଟନ ନେଇ ଜଣାପଡ଼ିବା ପରେ ବୁଦ୍ଧିଜୀବୀ ତଥା ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳ ଓ ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲାବାସୀ ଶୁଭେଚ୍ଛା ଜଣାଇଛନ୍ତି ।