
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହରରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ବନ୍ଧୁକରୁ ହଠାତ୍ ଗୁଳି ଫୁଟିବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ଚମ୍ପାମାଲ ଗ୍ରାମର ବିକ୍ରମ ମହାରଣା (ବିକି) ବୋଲି ଜଣାପଡ଼ିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିକି ଜଣେ ଭଦ୍ର ତଥା ମେଳାପୀ ଯୁବକ ଥିଲେ। ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକ ନିକଟସ୍ଥ ଏକ ପାନ ଦୋକାନ ପାଖରେ କିଛି ଯୁବକ ବସିଥିଲେ । ସେଠାରେ ବିକି ତାଙ୍କ ସାଙ୍ଗଙ୍କ ସହ ବନ୍ଧୁକ ଦେଖୁଥିବା ବେଳେ ହଠାତ୍ ଟ୍ରିଗର ଉପରେ ବିକିଙ୍କ ହାତ ବାଜି ଗୁଳି ଫୁଟି ଯାଇଥିଲା । କିଛି ଲୋକ କହିବାରେ ବନ୍ଧୁକଟି ଅଟୋମେଟିକ ହୋଇଥିବା ବେଳେ ଟ୍ରିଗର ଲକ୍ ହୋଇ ନ ଥିବାରୁ ଫାୟାର ହୋଇ ଗୁଳିଟି ସିଧା ବିକ୍ରମଙ୍କ ବେକରେ ଆସି ବାଜିଥିଲା । କିନ୍ତୁ ପରେ ତାହା ପୋଲିସ ତଦନ୍ତରୁ ସ୍ପଷ୍ଟ ହେବ । ଗୁରୁତର ଅବସ୍ଥାରେ ବିକ୍ରମଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା ବେଳେ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବୀରମହାରାଜପୁର ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏସ୍ଡିପିଓ ହେମନ୍ତ ରାଓଙ୍କ ନେତୃତ୍ୱରେ ତଦନ୍ତ ଜାରି ରହିଛି । ଆଜି ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଘଟଣାସ୍ଥଳର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।