mahavir

ବୁରକାବାହାଲରେ ଡକାୟତି ଓ ଲୁଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ଥାନା ବୁରକାବାହାଲ ଗାଁ ନାଳଖଣ୍ଡି ନିକଟରେ ସଶସ୍ତ୍ର ଡକାୟତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଟଗାଁର ନବୀନ ଦଳେଇ ଓ ଅରବିନ୍ଦ ଦଳେଇଙ୍କ ସହ ଏମାନଙ୍କୁ ଖୋଜିବାକୁ ଯାଇଥିବା ବାପା ରାମ ଦଳେଇ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପୁଲିସର ନିଷ୍କ୍ରିୟତାରୁ ଲୁଟ୍, ଡକାୟତି ଭଳି ଘଟଣା ଘଟୁଥିବା ଅଭିଯୋଗ କରି ଆଟଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାରୁ ପ୍ରକାଶ ଯେ, ଆଟଗାଁର ଦୁଇଭାଇ ନବୀନ ଦଳେଇ, ଅରବିନ୍ଦ ଦଳେଇ ଓ ଅମର କୁଅଁର ତିନିଜଣ ଶୁକ୍ରବାର ରାତି ପ୍ରାୟ ୯ ଟାରେ ବାଇକରେ ବୁରକାବାହାଲ ଗାଁରୁ ନିଜ ଗାଁକୁ ଫେରୁଥିଲେ, ବୁରକାବାହାଲ ନାଳଖଣ୍ଡି ନିକଟରେ ୮-୧୦ ଜଣ ଦୁର୍ବୃତ୍ତ ଲୁହାରଡ୍ ଓ ମାରଣାସ୍ତ୍ରରେ ଏହି ତିନିଜଣଙ୍କୁ ଅତର୍କିତ ଆକ୍ରମଣ କରି ୨୦ ହଜାର ଟଙ୍କା ଲୁଟି ନେଇଥିଲେ । କିଛି ସମୟ ଧରି ନବୀନ ଓ ଅରବିନ୍ଦ ଘରକୁ ନ ଫେରିବାରୁ ବାପା ରାମ ଦଳେଇ ଏମାନଙ୍କୁ ଖୋଜିବାକୁ ବୁରକାବାହାଲ ନାଳଖଣ୍ଡି ପଟେ ଯାଇଥିଲେ । ଦୁର୍ବୃତ୍ତମାନେ ରାମଙ୍କୁ ମଧ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ରାମଙ୍କ ବଡ଼ପୁଅ ସତ୍ୟବାନ ଘଟଣାସ୍ଥଳରେ ପହଞ୍ଚିବାରୁ ଗାଁରୁ ଅଧିକ ଲୋକ ଆସୁଥ‌ିବା ସନ୍ଦେହ କରି ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ । ରାମ ଓ ନବୀନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗାଁକୁ ଅଣାଯିବା ପରେ ଏନେଇ ପୁଇଁତଲା ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ଗାଁରେ ପହଞ୍ଚି ରାମ ଓ ପୁଅ ନବୀନଙ୍କୁ ବଲାଙ୍ଗିର ଭୀମଭୋଇ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଅନ୍ୟପଟେ, ଦୁର୍ବୃତ୍ତଙ୍କ ଆକ୍ରମଣରେ ରାମଙ୍କ ଅନ୍ୟପୁଅ ଅରବିନ୍ଦ ମଧ୍ୟ ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥ‌ିବା ଜଣାପଡ଼ିଛି । ପୁଇଁତଲା ପୁଲିସ ନିଷ୍କ୍ରିୟ ହୋଇପଡ଼ିଥିବାରୁ ଅଞ୍ଚଳରେ ଚୋରି, ଲୁଟ, ଡକାୟତି ଭଳି ଅପରାଧ ବୃଦ୍ଧି ପାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗାଁରେ ରାତି ପ୍ରାୟ ୧୦ଟା ସମୟରେ ଏକ ବୈଠକ ବସିଥିବା ଜଣାପଡ଼ିଛି । ଅନ୍ୟପଟେ, ପୁଇଁତଲା ପୁଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.