
ବରଗଡ, (ମୁନ୍ନା ସାହୁ) : ଆମର ରାସ୍ତା ଆମକୁ ଦିଅ । ରାସ୍ତା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଟୁକୁର୍ଲା ଗ୍ରାମବାସୀ । କାଠ, ଥାଳି ଓ ଖାଇବା ସାମଗ୍ରୀ ଧରି ବୁଧବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଟୁକୁର୍ଲା ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ରାସ୍ତାରେ ଅନ୍ୟ ଜଣେ ଘର ତିଆରି କରି ଦେଇଥିବାରୁ ବର୍ତ୍ତମାନ ଯିବାଆସିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଦୀର୍ଘ ବର୍ଷ ଧରି ସେହି ରାସ୍ତା ଉପରେ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ରାସ୍ତା ମଝିରେ ଘର ନିର୍ମାଣ ଯୋଗୁଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ତେବେ ରାସ୍ତା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାନ୍ଧି ଖାଇ ପି ରହିବେ ବୋଲି ଚେତାବନୀ ଦେଇଥିବା ବେଳେ ଜିଲ୍ଲାପାଳ ୮ ଦିନରେ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ।