ଅନୀତା ପ୍ରହରାଜଙ୍କୁ ମିଳିଲା ନ୍ୟାୟ, ପ୍ରାପ୍ୟ ହେଲା ପରିବାର ପେନସନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପ୍ରତି ଓଡିଶା ସରକାରଙ୍କ ସମ୍ବେଦନଶୀଳତାର ଏକ ସ୍ପଷ୍ଟ ଉଦାହରଣ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରରୁ ସାମ୍ନାକୁ ଆସିଛି । ଅନୀତା ପ୍ରହରାଜ ନାମକ ଜଣେ ଅବିବାହିତା ମହିଳା ୨୦୧୪ ମସିହାରେ ପିତାଙ୍କୁ ହରାଇବା ସହ ୨୦୦୬ରେ ମାତାଙ୍କୁ ମଧ୍ୟ ହରାଇଥିଲେ । ଏହା ପରେ ସେ ଆର୍ଥିକ ଓ ମାନସିକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ପିତାଙ୍କ ପେନସନ ପାଇବା ପାଇଁ ସେ ବ୍ୟାଙ୍କ, ଓକିଲ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅନେକ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ପାଖରେ ଆବଶ୍ୟକୀୟ ପେନସନ କାଗଜପତ୍ର ନଥିବାରୁ ତାଙ୍କର କାମ ଦୀର୍ଘଦିନ ଧରି ଅଟକି ରହିଥିଲା, ତାଙ୍କ ଏହି ସମସ୍ୟାର ସମାଧାନ ହୋଇ ପାରୁନଥିଲା । ଶେଷରେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିଜ ସମସ୍ୟା ଜଣାଇଥିଲେ । ଏହା ପରେ ଓଡିଶାର ଲେଖା ନିୟନ୍ତ୍ରକ ମନୋରଞ୍ଜନ ନାୟକଙ୍କ ସକ୍ରିୟ ହସ୍ତକ୍ଷେପ ଓ ନିର୍ଦ୍ଦେଶରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ତାଙ୍କ ନିର୍ଦ୍ଦେଶରେ ଗଞ୍ଜାମ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟ ସକ୍ରିୟ ଭୂମିକା ନେଇ ଅନିତାଙ୍କ ଘରେ ପହଞ୍ଚି ତାଙ୍କର ବ୍ୟାଙ୍କ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଥାନା ସମ୍ବନ୍ଧୀୟ ଆବଶ୍ୟକୀୟ ଦସ୍ତାବିଜ ସମ୍ପନ୍ନ କରାଇଥିଲା । ଏହାପରେ ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟ ତତ୍ପରତାର ସହ ଗୋଟିଏ ଦିନରେ ହିଁ ଅନୀତାଙ୍କ ପେନସନ ଅଥରିଟି ଜାରି କରିଥିଲା । ଆଜି ଅନୀତା ପ୍ରହରାଜଙ୍କୁ ଗଞ୍ଜାମ ଜିଲ୍ଲା ଟ୍ରେଜେରୀ ଅଧୀନ ଆସ୍କା ସବ୍-ଟ୍ରେଜେରୀ କାର୍ଯ୍ୟାଳୟରେ ଜିଲ୍ଲା ଟ୍ରେଜେରୀର ଅତିରିକ୍ତ ଟ୍ରେଜେରୀ ଅଧିକାରୀ ଅଳକାନନ୍ଦା ତ୍ରିପାଠୀ ପ୍ରାୟ ୧୦ ଲକ୍ଷ ଟଙ୍କାର ବକେୟା ରାଶି ସମେତ ମାସିକ ପେନସନ ପ୍ରଦାନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତ୍ୱରିତ ନିର୍ଦ୍ଦେଶ ଏବଂ ଲେଖା ନିୟନ୍ତ୍ରକ ଶ୍ରୀ ନାୟକ ଓ ଗଂଜାମ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାୟର ସମନ୍ୱୟ ଓ ଦାୟିତ୍ୱବୋଧକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଉଛି । ଅନୀତା ପ୍ରହରାଜ ଏହି ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ, ଅର୍ଥ ବିଭାଗ, ଲେଖା ନିୟନ୍ତ୍ରକ ଶ୍ରୀ ନାୟକ ଓ ଗଂଜାମ ଟ୍ରେଜେରୀ କାର୍ଯ୍ୟାଳୟ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଏହି ସହାୟତା ତାଙ୍କ ଜୀବନରେ ନୂତନ ଆଶା ଓ ସ୍ଥିରତା ଆଣିବ ବୋଲି ସେ କହିଛନ୍ତି । ଏହି ପ୍ରୟାସ, ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଓ ସହଯୋଗ ମନୋଭାବକୁ ବୟାନ କରୁଛି ।

Leave A Reply

Your email address will not be published.