ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ସଭାଗୃହରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟି ତଥା ଅତିରିକ୍ତ ବିଡ଼ିଓ ଦେବାଶିଷ ସିଂହ୍ନାଙ୍କ ସଭାପତିତ୍ୱରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଏପ୍ରିଲ ୨୭ରୁ ମଇ ୧ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରିବା ନିମନ୍ତେ ଆଜିର ପ୍ରସ୍ତୁତି ବୈଠକରେ ବରଗଡ ଜିଲ୍ଲାପାଳ ପିୟୁଷ ଗୋଏଲ, ଉପ ଜିଲ୍ଲାପାଳ ଅରୁଗୁଲା ସ୍ନେହା, ବରଗଡ ସଂସାଦ ପ୍ରତିନିଧି ପ୍ରୀତେଶ ବହିଦାର, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ପଦ୍ମପୁର ଏସ୍ଡିପିଓ ପାଣ୍ତବ ଶବର, ବିଧାୟକ ପ୍ରତିନିଧି ଗୌତମ ସିଂ, ନୃସିଂହନାଥ ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ପ୍ରମୁଖ ଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପାନୀୟ ଜଳ ସୁବିଧା, ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ ସେବା, ଟ୍ରାଫିକ ବ୍ୟବସ୍ଥା, ପୋଲିସ ସହାୟତା ତଥା ଅନ୍ୟାନ୍ୟ ଅନୁସଙ୍ଗିକ ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା । ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଝାରବନ୍ଧ, ପାଇକମାଲ, ପଦ୍ମପୁରର ବୁଦ୍ଧିଜୀବୀ ସଚେତନ ନାଗରିକଙ୍କ ସହ ବରଗଡ ଜିଲ୍ଲାର ବହୁ ସାମ୍ବାଦିକମାନେ ଉପସ୍ଥିତ ଥିଲେ । ପାଇକମାଲରୁ ନୃସିଂହନାଥ ପର୍ଯ୍ୟନ୍ତ ରାସ୍ତାରେ ଆଲୋକର ବ୍ୟବସ୍ଥା ପାଇଁ ବୁଦ୍ଧିଜୀବୀମାନେ ଦାବି ରଖିଥିଲେ । ଏଥି ସହ ନୃସିଂହନାଥରୁ ଗୁରୁଣ୍ତା ରାସ୍ତା ମରାମତି କରାଯିବା ପାଇଁ ଦାବି ଉପସ୍ଥାପନା କରାଯାଇଥିଲା । ଶେଷରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଧନ୍ୟବାଦ ଦେଇଥିଲେ ।