csstore

ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ବନ୍ଧୁକ କାରଖାନା ଓ ମାଓ ଡମ୍ପ ଠାବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମାଓମୁକ୍ତ କରିବା ନିମନ୍ତେ ଅହରହ ପ୍ରୟାସ ଜାରି ରଖିଛନ୍ତି ଓଡ଼ିଶା ସରକାର । ଏନେଇ ବିଏସ୍‌ଏଫ୍‌ ଜବାନ ଓ ଜିଲ୍ଲା ପୁଲିସ ପକ୍ଷରୁ ମାଓ ଦମନ ଅପରେସନ ଜୋରଦାର ଚାଲିଛି । ମାଓନେତା ଶୁକ୍ରୁକୁ ଧରିବା ପାଇଁ ଉଦ୍ୟମ ବେଳେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ନିକଟସ୍ଥ କାଟିଙ୍ଗିଆ ପଞ୍ଚାୟତର ପଣସପଦର ଗାଁ ନିକଟ ଜଙ୍ଗଲ ମଧ୍ୟରୁ ଠାବ ହୋଇଛି ଏହି ବନ୍ଧୁକ କାରଖାନା ଓ ମାଓ ଡମ୍ପ।ବ୍ରାହ୍ମଣୀଗାଁରେ ଅବସ୍ଥାପିତ ବିଏସ୍ଏଫ୍ ୧୩୬ ବାଟାଲିୟନ ସି- କମ୍ପାନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ବନ୍ଧୁକ ତିଆରି କାରଖାନାରୁ ବିପୁଳ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି । ମାଓବାଦୀଙ୍କ ଗୁପ୍ତ ଆଡ୍ଡାରେ ବନ୍ଧୁକ ତିଆରି କରିବାକୁ ବିଭିନ୍ନ ସାମଗ୍ରୀ ଥିଲା । କଟର୍, ବ୍ରୋୟର୍, ଲୁହା ପାଇପ୍, ତାର, କଇଁଚି, କରତ, ଅର୍ଦ୍ଧନିର୍ମିତ ବନ୍ଧୁକ, କଟୁରି ଆଦି ଅନେକ ସାମଗ୍ରୀ ଏଠାରୁ ଜବତ ହୋଇଛି । କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ କରିବାକୁ ସୁରକ୍ଷାକର୍ମୀଙ୍କ ଅହରହ ପ୍ରୟାସର ଏ ଆଉ ଏକ ସଫଳତା । ଗୋଟିଏ ଦିନରେ କୋଟଗଡ଼ ବ୍ଲକ୍‌ର ପାରିଗଡ଼ରେ ମାଓ କ୍ୟାମ୍ପ୍ ଠାବ ହୋଇଥିବା ବେଳେ ଆଉ ଏକ ବ୍ରାହ୍ମଣୀଗାଁ ସ୍ଥିତ କାଟିଙ୍ଗିଆ ପଞ୍ଚାୟତର ପଣସପଦରରେ ମାଓବାଦୀଙ୍କ ବନ୍ଧୁକ କାରଖାନାକୁ ଖୋଜି ବାହାର କରିବା ସହ ସେଠାରୁ ବିପୁଳ ସାମଗ୍ରୀ ଜବତ କରିଛନ୍ତି ବିଏସ୍ଏଫ୍ ଯବାନ । ମାଓବାଦୀଙ୍କୁ ମୂଳପୋଛ କରିବା ରାସ୍ତାରେ ସୁରକ୍ଷା କର୍ମୀଙ୍କ ପାଇଁ ବର୍ତ୍ତମାନ ଏକମାତ୍ର କଣ୍ଟା ହୋଇ ରହିଛି ଶୁକୁ । ତାକୁ ଠାବ କରିବା ସୁରକ୍ଷା ବାହିନୀ ପାଇଁ ଏବେ ଚ୍ୟାଲେଞ୍ଜ୍ ହୋଇଛି । ଏବେ ସୁଦ୍ଧା ରାଜ୍ୟର ପ୍ରମୁଖ ମାଓ ପ୍ରଭାବିତ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରି ସାରିଛନ୍ତି ରାଜ୍ୟ ସରକାର । ବାକି ରହିଛି କନ୍ଧମାଳ ଜିଲ୍ଲା । ମାଓବାଦୀଙ୍କ ବିଲୋପ ପାଇଁ ସୁରକ୍ଷା କର୍ମୀ କମ୍ବିଂ ଅପରେସନ୍ ଜାରି ରଖିଛନ୍ତି ।

jayashree
Leave A Reply

Your email address will not be published.