- ଜିଲ୍ଲାର ବିକାଶ ନେଇ ଆଶା ବାନ୍ଧି ବସିଛନ୍ତି ଅଞ୍ଚଳବାସୀ
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ମୋଟାନୂଆପଡ଼ା ପଞ୍ଚାୟତ କଲମିଦାଦର ଗାଁରେ ହୀରାଖଣିର ସନ୍ଧାନ ମିଳିଛି । ଏବେ ନୂଆପଡ଼ାର ଭାଗ୍ୟ ବଦଳିଯିବ ଓ ଦାଦନ ଗଡ଼ ବିକଶିତ ହେବ ବୋଲି ଜିଲ୍ଲାବାସୀ ଆଶା କରୁଛନ୍ତି । ସୂଚନା ଅନୁସାରେ, ଗତ ୨୫ବର୍ଷ ତଳେ ଓଡ଼ିଶା-ଛତିଶଗଡ଼ ରାଜ୍ୟ ସୀମାନ୍ତ ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରୁ ୧୫ କି.ମି ଦୂର କଲମିଦାଦର ଗାଁ କଲମି ଟେଙ୍କ ପଡ଼ିଆ ଜମିରେ ହୀରା ଖଣି ରହିଥିବା ସୂଚନା ମିଳିବା ପରେ ସେହି ପାହାଡ଼ ଉପରେ ବ୍ୟବସାୟୀଙ୍କ ନଜର ପଡ଼ିଥିଲା । ପାହାଡ଼ ଏପଟେ ଓଡ଼ିଶା ଓ ସେପଟେ ଛତିଶଗଡ଼ ରାଜ୍ୟର ବ୍ୟବସାୟୀମାନେ ଅନଧିକାର କବଜା କରି ବେଆଇନ ଭାବେ ଖଣି ଖନନ କରି ହୀରା ପାଇଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । ଏବେବି ପାହାଡ଼ ଉପରେ ଅନେକ ଖାଲଖମା ରହିଥିବା ଦେଖିବାକୁ ମିଳିଛି । ତେବେ,ଏହା ଏକ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ମାଓ ଭୟରେ ପୁଲିସ, ଫରେଷ୍ଟ କିମ୍ବା ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀ ବି ସେ ଅଞ୍ଚଳକୁ ଯାଉନଥିଲେ । ଜିଲ୍ଲାରେ ଖଣି ବିଭାଗ ଅଫିସ ବି ନଥିଲା । ଏହାର ସୁଯୋଗ ନେଇ ଖଣି ମାଫିଆମାନେ ବେଆଇନ ଖନନ ଜାରି ରଖିଥିଲେ । ସେଠାକାର ମାଟିକୁ ବସ୍ତାରେ ଭର୍ତ୍ତି କରି ବିକ୍ରି କରୁଥିବା ବେଳେ ଲୋକେ ସେହି ମାଟିକୁ କିଣି ନେଇ ପାଣିରେ ଧୋଇ ହୀରା ସଂଗ୍ରହ କରୁଥିଲେ । ଯାହାର ଭାଗ୍ୟରେ ଥିଲେ ହୀରା ମିଳୁଥିଲା । ସେତେବେଳେ ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ ରାଜ୍ୟର ରତ୍ନ ପଥର ବେପାରୀମାନେ ସକ୍ରିୟ ଥିଲେ । ତେବେ ୨୦୧୭ ମସିହାରେ ଜିଲ୍ଲା ପ୍ରଶାସନ କରଫ୍ୟୁ ଲଗାଇବା ସହ ନିଷିଦ୍ଧାଞ୍ଚଳ ଘୋଷଣା କରିବାରୁ ବେଆଇନ ଖଣି ଖନନରେ ଏକରକମ ବ୍ରେକ ଲାଗିଥିଲା । କିଛିଦିନ ତଳେ ବିଧାନସଭାରେ ରାଜ୍ୟ ସରକାରଙ୍କ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କଲମିଦାଦାର ଗାଁ ଜଙ୍ଗଲରେ ହୀରା ପଥର ସନ୍ଧାନ ମିଳିଥିବା ଓ ଏହାର ବୈଷୟିକ, ଅର୍ଥନୈତିକ ତଥା ଅନ୍ୟାନ୍ୟ ଆନୁସାଙ୍ଗିକ ମୂଲ୍ୟାୟନ କାର୍ଯ୍ୟ ଚାଲିଥୁବା ନେଇ ଉତ୍ତର ରଖିଥିଲେ । ନୂଆପଡ଼ା ଜିଲ୍ଲାରେ ହୀରାଖଣିର ସନ୍ଧାନ ଓ ତାର ଆନୁସାଙ୍ଗିକ ବିକାଶ ସକାଶେ ଖବର ପାଇ ଜିଲ୍ଲାବାସୀ ବେଶ ଖୁସି ଅଛନ୍ତି । ଏହି ଅନୁନ୍ନତ ଅଞ୍ଚଳରେ ହୀରାଖଣି ଖନନ ହୋଇ ଲୋକଙ୍କ ବିକାଶ ହେବ ବୋଲି ଭାବନା ଜାଗ୍ରତ ହୋଇଛି । ନିକଟ ଭବିଷ୍ୟତରେ ନୂଆପଡ଼ାର ଭାଗ୍ୟ ବଦଳିବ ଓ ମରୁଡ଼ି ପ୍ରପୀଡ଼ୀତ ଅଞ୍ଚଳ ତଥା ଦାଦନ ଗଡ଼ ବିକଶିତ ହେବ ବୋଲି ଲୋକେ ଆଶା ବାନ୍ଧି ବସିଛନ୍ତି ।