ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ନରସିଂହ ନନ୍ଦଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବସର ପ୍ରାପ୍ତ ଆଦର୍ଶ ବରିଷ୍ଠ ଶିକ୍ଷକ ନରସିଂହ ନନ୍ଦ (୮୦) ଙ୍କ ବୁଧବାର ସକାଳେ ଛତ୍ରପୁର ନିକଟସ୍ଥ ତାଙ୍କରି ନିଜସ୍ଵ ବାସଭବନ ଚମାଖଣ୍ଡିଠାରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ତିନିପୁଅ, ଗୋଟିଏ ଅଲିଅଳ ଝିଅ, ବୋହୂ, ନାତି ନାତୁଣୀ, ବନ୍ଧୁବର୍ଗ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣ ବ୍ୟକ୍ତିଥିଲେ । ଏକାଧାରରେ ସେ ଜଣେ ବିଜ୍ଞ, ପାଣ୍ଡିତ୍ୟ, ଜ୍ୟୋତିଷ ଶାସ୍ତ୍ରରେ ପ୍ରବୀଣ ଥିଲେ ଏବଂ ଜଣେ ଆଦର୍ଶ, କର୍ତ୍ତବ୍ୟନିଷ୍ଠ ଓ ଛାତ୍ର ବାତ୍ସଳ ଶିକ୍ଷକ ଥିଲେ । ଛତ୍ରପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଶିକ୍ଷକତା କାର୍ଯ୍ୟ କରିଆସିଥିଲେ । ଅନେକ ଉତ୍ତମ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ପରି ଗଢ଼ିବାରେ ସକ୍ଷମ ହୋଇଥିଲେ । ଏକଦା ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକମାନଙ୍କୁ ଏକତାର ରଜ୍ଜୁରେ ବାନ୍ଧି ରଖିବା ସହ ବ୍ଲକରେ ଶିକ୍ଷକ ସଂଘକୁ ସଂଗଠିତ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ତୁଲାଇଥିଲେ । ତତ୍କାଳୀନ ଶିକ୍ଷକ ନେତା ସ୍ୱର୍ଗତ ଦାମୋଦର ପ୍ରଧାନ, ନରସିଂହ ପ୍ରଧାନ, ଲଡ଼ୁକିଶୋର ସେଠୀଙ୍କ ସହଯୋଗୀ ରୂପେ କାର୍ଯ୍ୟ କରିବା ସହ ଶିକ୍ଷକମାନଙ୍କ ସମ୍ମାନ ପାଇଁ ସର୍ବଦା ଚେଷ୍ଟିତ ଥିଲେ । ତାହାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.