କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଗ୍ରୀଷ୍ମଋତୁ ଆସିବା ପୂର୍ବରୁ ଜଙ୍ଗଲ ଏବଂ ଖୋଲା ଅଞ୍ଚଳରେ ନିଆଁ ଲାଗୁଥିବା ଘଟଣା ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳୁଛି । ଏହିପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ୱାର୍ଡ ନମ୍ବର ୧୪ରେ ଦେଖିବାକୁ ମିଳିଛି । ତୁରେକେଲା ରାସ୍ତାରେ ଥିବା ଅଗ୍ନିଶମ ବିଭାଗ ଅଫିସ ପାଖରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ନିଆଁ ଘଣ୍ଟା ଘଣ୍ଟା ଧରି ହୁହୁ ହୋଇ ଜଳୁଥିଲା ଏବଂ ସମଗ୍ର ଅଞ୍ଚଳରେ ଘନ ଧୂଆଁ ପ୍ରସାରିତ ହୋଇଥିଲା । ଏହାର ପ୍ରଭାବରେ ଲୋକମାନଙ୍କ ଆଖି ଜଳିବା ସହିତ ନିଃଶ୍ୱାସ ନେବାରେ ବି ଅସୁବିଧା ହେଉଥିଲା । ଏହି ଘଟଣାରେ ପରିବେଶ ପ୍ରଦୂଷଣ ମଧ୍ୟ ବଢ଼ିଥିବା ଦେଖିବାକୁ ମିଳିଛି । କିଛି ସମୟ ପରେ ଅଗ୍ନିଶମ ବିଭାଗର ଗାଡ଼ି ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଯଦି ସମୟରେ ନିଆଁକୁ ନିୟନ୍ତ୍ରଣ କରାଯାଇନଥାନ୍ତା, ତେବେ ପାଖପାଖି ଥିବା ଅନେକ ଘରକୁ ନିଆଁ ଆକ୍ରାନ୍ତ କରିପାରିଥାନ୍ତା ବୋଲି ସ୍ଥାନୀୟ ଲୋକମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ପ୍ରଶାସନ ତଦନ୍ତ କରି ନିଆଁ ଲଗାଇଥିବା ଦୁର୍ବୃତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।