ସହଯୋଗ ଫାଉଣ୍ଡେସନ୍ର “ଅନ୍ନପୂର୍ଣ୍ଣା ଫୁଡ୍ ଫର୍ ଅଲ୍” କାର୍ଯ୍ୟକ୍ରମରେ ୭୦୦ ଲୋକଙ୍କୁ ରାତ୍ରି ଭୋଜନ ବଣ୍ଟନ କରି ଜନ୍ମଦିନ ପାଳନ କଲେ ଶୁଭେଚ୍ଛା ରାଣୀ ମେହେର
ବଲାଙ୍ଗିର, (କେପିଏନ୍ଏସ୍) : ସମାଜସେବା ଓ ମାନବିକତାର ଏକ ଅଦ୍ଭୁତ ଉଦାହରଣ ସୃଷ୍ଟି କରିଛନ୍ତି ଶୁଭେଚ୍ଛା ରାଣୀ ମେହେର । ନିଜର ୧୯ତମ ଜନ୍ମଦିନକୁ ସେ ଆଡମ୍ବରରେ ପାଳନ କରିବା ପରିବର୍ତ୍ତେ ଦରିଦ୍ର ଓ ଆବଶ୍ୟକତାମନ୍ଦ ଲୋକଙ୍କ ସହିତ ଆନନ୍ଦ ବାଣ୍ଟି ନେଇ ଏକ ସାର୍ଥକ ପଦକ୍ଷେପ ନେଇଛନ୍ତି । ସହଯୋଗ ଫାଉଣ୍ଡେସନ୍ର “ଅନ୍ନପୂର୍ଣ୍ଣା ଫୁଡ୍ ଫର୍ ଅଲ୍” କାର୍ଯ୍ୟକ୍ରମ ଅଧୀନରେ ସେ ପ୍ରାୟ ୭୦୦ ଜଣ ଲୋକଙ୍କୁ ରାତ୍ରି ଭୋଜନ ବଣ୍ଟନ କରି ନିଜ ଜନ୍ମଦିନ ପାଳନ କରିଛନ୍ତି । ଶୁଭେଚ୍ଛା ରାଣୀ ମେହେର ହେଉଛନ୍ତି ପ୍ରସିଦ୍ଧ ଡାକ୍ତର ଡା. ଶୈଳେନ୍ଦୁ କୁମାର ମେହେର ଓ ବ।ସନ୍ତୀ ମେହେରଙ୍କ କନ୍ୟା । ସମାଜ ପ୍ରତି ଦାୟିତ୍ୱବୋଧ ଓ ମାନବିକତାର ଶିକ୍ଷା ପରିବାରରୁ ପାଇଥିବା ଶୁଭେଚ୍ଛା ଏହି ଦିନଟିକୁ ଗରିବ ଓ ଅସହାୟ ଲୋକମାନଙ୍କ ସହିତ କାଟିବାକୁ ଚୟନ କରିଥିଲେ । ସହଯୋଗ ଫାଉଣ୍ଡେସନ୍ ପକ୍ଷରୁ ପରିଚାଳିତ “ଅନ୍ନପୂର୍ଣ୍ଣା ଫୁଡ୍ ଫର୍ ଅଲ୍” କାର୍ଯ୍ୟକ୍ରମ ଦୀର୍ଘଦିନ ଧରି ଦୁର୍ବଳ ଓ ଅବହେଳିତ ଶ୍ରେଣୀର ଲୋକଙ୍କୁ ଖାଦ୍ୟ ସହାୟତା ଯୋଗାଇ ଆସୁଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଶୁଭେଚ୍ଛା ରାଣୀ ମେହେରଙ୍କ ପ୍ରୟାସରେ ଆୟୋଜିତ ରାତ୍ରି ଭୋଜନ ବଣ୍ଟନ କାର୍ଯ୍ୟକ୍ରମରେ ଅନେକ ଦରିଦ୍ର, ଶ୍ରମିକ ଓ ଆବଶ୍ୟକତାମନ୍ଦ ଲୋକ ଭାଗ ନେଇଥିଲେ । ସେମାନେ ଖାଦ୍ୟ ଗ୍ରହଣ କରି ଶୁଭେଚ୍ଛାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ ଓ ତାଙ୍କର ଏହି ମାନବିକ ପଦକ୍ଷେପକୁ ବହୁ ପ୍ରଶଂସା କରିଥିଲେ । ଏହି ଅବସରରେ ସହଯୋଗ ଫାଉଣ୍ଡେସନ୍ର ସଦସ୍ୟମାନେ କହିଥିଲେ ଯେ, ଯୁବପିଢି ଯଦି ଏଭଳି ସମାଜସେବାର ମନୋଭାବ ନେଇ ଆଗକୁ ଆସିବେ, ତେବେ ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିପାରିବ । ଶୁଭେଚ୍ଛା ରାଣୀ ମେହେରଙ୍କ ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣା ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଶୁଭେଚ୍ଛା ରାଣୀ ମେହେର କହିଥିଲେ ଯେ, ନିଜ ଜନ୍ମଦିନରେ ଦରିଦ୍ର ଓ ଅସହାୟ ଲୋକମାନଙ୍କ ମୁହଁରେ ହସ ଦେଖିବା ହିଁ ତାଙ୍କ ପାଇଁ ସର୍ବଶ୍ରେଷ୍ଠ ଉପହାର । ଆଗାମୀ ଦିନରେ ମଧ୍ୟ ସେ ସମାଜସେବାରେ ନିଜକୁ ନିୟୋଜିତ ରଖିବେ ବୋଲି ଉଲ୍ଲେଖ କରିଥିଲେ । ସମାଜ ପାଇଁ ଏଭଳି ଉଦାହରଣ ସୃଷ୍ଟି କରିଥିବା ଶୁଭେଚ୍ଛା ରାଣୀ ମେହେରଙ୍କ ଏହି ମାନବିକ ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ବହୁ ପ୍ରଶଂସା ଲାଭ କରିଛି ଓ ଅନେକଙ୍କୁ ସମାଜସେବା ପାଇଁ ପ୍ରେରିତ କରିଛି ।