ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଅଞ୍ଚଳର ଆରାଧ୍ୟ ଦେବୀ ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତିକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅଞ୍ଚଳରେ କାନ୍ଦୁଲ ଭଜା ଯାତ୍ରା ହେଉଛି ଶହ ଶହ ବର୍ଷର ପୁରୁଣା ପରମ୍ପରା । ଏହି ଯାତ୍ରା ପ୍ରତିବର୍ଷ ଚୈତ୍ର ମାସର ମଙ୍ଗଳବାର ଦିନ ପାଳିତ ହୋଇଥାଏ । ମା ‘ ପାଟ୍ଟଖଣ୍ଡାଙ୍କ ପ୍ରମୁଖ ପର୍ବ ଭାବେ ଅଞ୍ଚଳରେ ବିଦିତ ହୋଇଥିବା ବେଳେ ବର୍ଷର ପ୍ରଥମ ଉତ୍ପାଦିତ ନୂଆଁ କାନ୍ଦୁଲ, ଶିମ୍ବକୁ ଭାଜି ପ୍ରତ୍ୟେକ ଘରେ ଗଜାମୁଆଁ, ପଣା, ନଡିଆ, ଧୂପ, ଦୀପ ନୈବେଦ୍ୟ ଓ ପଳାଶ ଫୁଲ, ମହୁଲ ଫୁଲ, ଧାଧୁନ ଫୁଲ, ଆମ୍ବ କଷି ଆଦି ମା’ ପାଟ୍ଟଖଣ୍ଡା ଓ ଗ୍ରାମ ଦେବତୀ ମା’ ବରାଳ ଦେବୀଙ୍କୁ ଅର୍ପଣ କଲା ପରେ ଘରେ ସମସ୍ତେ ମିଳିମିଶି ପ୍ରସାଦ ସେବନ କରିଥାଆନ୍ତି । ଅଞ୍ଚଳର ମାନସିକଧାରୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ ମାଆଙ୍କ ନିକଟରେ ବିଭିନ୍ନ ଭୋଗ ଦେବାର ପ୍ରଥା କେଉଁ ପ୍ରାଚୀନ କାଳରୁ ଅଦ୍ୟାବଧି ରହି ଆସିଛି । କନ୍ଧମାଳର ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିବା ଏବଂ ଏହି ସର୍ବ ପ୍ରାଚୀନ ଗଣ ପର୍ବକୁ ସାର୍ବଜନୀନ କରିବା ପାଇଁ ମନ୍ଦିର ପରି ଚାଳନା କମିଟିର ମୂଖ୍ୟ ପୂଜକ ରଘୁନାଥ ପାତ୍ର, ପାଣିକର ପାତ୍ର, ଗୋଲକ ପାତ୍ର ଓ ପ୍ରତାପ କେଶରୀ ପାତ୍ର ବିଧି ପୂର୍ବକ ପୂଜା ଅର୍ଚ୍ଚନା କରିଥିଲେ । ଚଳିତ ବର୍ଷର ଯାତ୍ରାକୁ ଆଡ଼ମ୍ବରରେ ପାଳନ ପାଇଁ ଗ୍ରାମ୍ୟ କମିଟି ସଭାପତି ବିକ୍ରମ ବିଶିମାଝି, ବରିଷ୍ଠ କର୍ମକର୍ତ୍ତା କୃଷ୍ଣ ମୋହନ ପାଣିଗ୍ରାହୀ, ରବିନ୍ଦ୍ର ଶତପଥି, ବିଭୂତି ଭୂଷଣ ଦଳପତି, ସଦାନନ୍ଦ ବିଶିମାଝି, ଚୈତନ୍ୟ ବିଷୋୟୀ ଓ କହ୍ନେଇ ବିଷୋୟୀଙ୍କ ସମେତ ପୁରୁଣା ନୂଆଗାଁର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ଭାବେ କାନ୍ଦୁଲ ଯାତ୍ରା ସମାପନ ହୋଇଥିଲା ।