ବଲାଙ୍ଗିର, (କେପିଏନ୍ଏସ୍) : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜେଏସ୍ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ବିଦ୍ୟାଳୟର କ୍ୟାମ୍ପସରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଅତିଥିମାନେ, ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ମହିଳା ସଶକ୍ତିକରଣର ସନ୍ଦେଶ ପ୍ରଚାର କରିଥିଲେ । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଇବର କ୍ରାଇମ୍ ଓ ଆର୍ଥିକ ଅପରାଧ ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (ଆଇଆଇଦସି) ଶ୍ରୀମତୀ ଭାରତୀ ନାୟକ ଯୋଗଦେଇ ତାଙ୍କ ଅଭିଭାଷଣରେ ଝିଅ ଛାତ୍ରୀମାନଙ୍କୁ ସଚେତନ ହେବାକୁ, ନିଜ ଅଧିକାର ବିଷୟରେ ଜାଣିବାକୁ ଓ ସାଇବର ଅପରାଧ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେବା ସହିତ ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସୀ ହୋଇ ଜୀବନରେ ଆଗକୁ ବଢିବାକୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ସମାଜସେବୀ ଓ ତେଜସ୍ୱନୀ ସାହିତ୍ୟ ଅନୁଷ୍ଠାନ, ବଲାଙ୍ଗିରର ସଚିବ ଶ୍ରୀମତୀ ଲିଲି ପଟେଲ ମହିଳା ଶିକ୍ଷା, ସମାଜରେ ମହିଳାଙ୍କ ଭୂମିକା ଓ ସଶକ୍ତିକରଣ ବିଷୟରେ ପ୍ରେରଣାଦାୟକ ଉଦ୍ବୋଧନ ରଖିଥିଲେ ଓ ତାଙ୍କର ଉତ୍ସାହଭରା ଭାଷଣ ଛାତ୍ରଛାତ୍ରୀମାନଙ୍କୁ ଗଭୀର ଭାବେ ପ୍ରେରିତ କରିଥିଲା । ଏହି ଅବସରରେ ସମାଜସେବୀ ନୂତନ ଦାସ ମଧ୍ୟ ଉପସ୍ଥିତ ରହି ସମାଜରେ ମହିଳାଙ୍କ ମହତ୍ତ୍ୱ ବିଷୟରେ ନିଜ ମତାମତ ରଖିଥିଲେ । କାର୍ଯ୍ୟକ୍ରମରେ କଲେଜ ଉପଦେଷ୍ଟା ମନୋରଞ୍ଜନ ସାହୁ, ଚେୟାରମ୍ୟାନ ସିଏ ଶ୍ରୀକାନ୍ତ ଶର୍ମା, ସେକ୍ରେଟାରୀ ଶ୍ରୀମତୀ ସୁମନ ଶର୍ମା, ପ୍ରଧାନ ଶିକ୍ଷୟିତ୍ରୀ ଡ. ମନସ୍ମିତା ମିଶ୍ର, ଶିକ୍ଷକ-ଶିକ୍ଷିକା ଓ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଆନନ୍ଦମୟ କରିବା ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କ ଦ୍ୱାରା ବିଭିନ୍ନ ଖେଳ ଓ ମନୋରଞ୍ଜନାତ୍ମକ କାର୍ଯ୍ୟକଳାପ ଆୟୋଜନ କରାଯାଇଥିଲା । ସମସ୍ତେ ଏହି ଦିନଟିକୁ ଆନନ୍ଦର ସହିତ ଉପଭୋଗ କରିଥିଲେ । ଶେଷରେ କଲେଜ ଉପଦେଷ୍ଟା ଶ୍ରୀଯୁକ୍ତ ସାହୁ ଓ ଚେୟାରମ୍ୟାନ ସିଏ ଶ୍ରୀକାନ୍ତ ଶର୍ମା ଓ ପ୍ରଶାସନିକ ଅଧିକାରୀ ଶୈଳେସ ପାଲ ମହିଳା ଶିକ୍ଷକ ଓ କର୍ମଚାରୀମାନଙ୍କୁ ସମ୍ମାନ ସ୍ୱରୂପ ଉପହାର ବିତରଣ କରିଥିଲେ । ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା । ଏହି ଉତ୍ସବ ମାଧ୍ୟମରେ ମହିଳାଙ୍କ ପ୍ରତି ସମ୍ମାନ, ସମାନତା ଓ ସଶକ୍ତିକରଣର ଶକ୍ତିଶାଳୀ ସନ୍ଦେଶ ପ୍ରଚାରିତ ହୋଇଥିଲା ।
Prev Post