ରାଉରକେଲା, (ସସ୍ମିତା ପ୍ରଧାନ) : ସଭାପତି ବିଶ୍ୱ ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର ଆସୋସିସନର ଅଷ୍ଟମ ବାର୍ଷିକ ଉତ୍ସବ ଛେଣ୍ଡ କଳିଙ୍ଗ ବିହାର ସ୍ଥିତ ଉମାଶଙ୍କର ପୀଠ ଠାରେ ପାଳିତ ହୋଇଯାଇଛି । ଉତ୍ସବରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ଶିବିର ତଥା ଛେଣ୍ଡର ଆକ୍ୟୁପ୍ରେସର ଟିମ ଦ୍ୱାରା ଆୟୋଜିତ ଆକ୍ୟୁପ୍ରେସର ଚିକିତ୍ସା ଶିବିରକୁ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ଉଦଘାଟନ କରିଥିଲେ । ପଶ୍ଚିମାଞ୍ଚଳର ଡିଆଇଜି ବ୍ରିଜେଶ କୁମାର ରାଏ ଆସୋସିଆସନର ଅଷ୍ଟମ ବାର୍ଷିକ ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରାଇଥିଲେ । ପ୍ରାରମ୍ଭରେ ଦିବଂଗତ ସଭ୍ୟ ଶରତ କୁମାର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା । ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଗତ ଦିନରେ ଆସୋସିଏସନ ଦ୍ୱାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ସମାଜରେ ଶିକ୍ଷା, ଖେଳକୁଦ, ସମାଜସେବା, ସ୍ୱାସ୍ଥ୍ୟ, ଅର୍ଥନୈତିକ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ଅତିଥିମାନେ ଆସୋସିଏସନ ତରଫରୁ ସମ୍ବର୍ଦ୍ଧିତ କରିଥିଲେ । ସ୍ୱସ୍ତି ସାହିତ୍ୟ ସଂସଦର ସମ୍ପାଦକ ରାଜୀବ ପାଣି ଓ ଅବସରପ୍ରାପ୍ତ ଇନ୍ସପେକ୍ଟର ଦୁର୍ଗାପ୍ରସାଦ ପରିଡା ସାରସ୍ୱତ ସମ୍ମାନରେ, ସମାଜସେବା କ୍ଷେତ୍ରରେ ରଘୁ ବଳ, ଅପୂର୍ବ ସାହାସିକତା କ୍ଷେତ୍ରରେ ଗୋପବନ୍ଧୁପାଲି ଫାଣ୍ଡିର ସିନ୍ମୟ ବଳ, ପ୍ଲେନ ଦୁର୍ଘଟଣାରୁ ବଞ୍ଚାଇଥିବା ଯାତ୍ରୀମାନଙ୍କୁ ଜଲଦା ଫାଣ୍ଡିର ଧ୍ୟାନଚାନ୍ଦ ଖିଲାର ଓ ଖେଳ କ୍ଷେତ୍ରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଆସୋସିଏସନ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବିଧାୟକ ସାରଦା ପ୍ରସାଦ ନାୟକ ପ୍ରଶଂସା କରିଥିଲେ । ଆସୋସିଏସନର ସବୁ ସଭ୍ୟମାନେ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଐକ୍ୟବଦ୍ଧ ଭାବରେ ରହି ପ୍ରଶାସନକୁ ସହଯୋଗ କରିବା ପାଇଁ ଡିଆଇଜି ବ୍ରିଜେଶ ରାଏ ମତ ପ୍ରକାଶ କରିଥିଲେ । ଅନ୍ୟ ଆସୋସିଏସନର ପ୍ରତିନିଧି ମାନଙ୍କୁ ମଧ୍ୟ ସ୍ୱାଗତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ଓ ଅନ୍ୟ ମାନଙ୍କୁ ପୁଷ୍ପାଗୁଚ୍ଛ, ଉତ୍ତରୀୟ ଓ ସ୍ମୃତିଫଳକ ଦେଇ ସମ୍ମାନିତ କରାଯାଇଥିଲା । ବରିଷ୍ଠ ସଦସ୍ୟ ଶତ୍ରୁଘ୍ନ ପରିଡା, ପୂର୍ଣ୍ଣଚନ୍ଦ୍ର ମିଶ୍ର, ମୋହନପାଣି କାରୁଆ, ସପନ ବରାଳ ଓ ଅନ୍ୟମାନେ ନିଜନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ବରିଷ୍ଠ ଉପସଭାପତି ଯଦୁମଣି ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।