- ପ୍ରକୃତ ଅର୍ଥରେ ବିକାଶ ହାସଲ କରିବା ପାଇଁ ଆମକୁ ମହିଳାମାନଙ୍କର ସମାନ ଅଂଶ ଗ୍ରହଣ ସୁନିଶ୍ଚିତ କରିବାକୁ ପଡିବ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ବିକଶିତ ଭାରତର ମୂଳଦୁଆ ଭାବେ ନାରୀଶକ୍ତିକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ
- ଶ୍ରମ ସଂହିତା ମହିଳା ସଶକ୍ତି କରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଉଦ୍ୟୋଗୀ ଭାବରେ ବିକଶିତ କରିବା ଉପରେ ଦୁଇଟି ପ୍ୟାନେଲ ଆଲୋଚନା ଅନୁଷ୍ଠିତ
- ନାରୀଶକ୍ତିକୁ ନେଇ ଉତ୍ସବ ପାଳନ କରିବା ପାଇଁ ପ୍ରାୟ ୨୦୦ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନର ୧,୦୦୦ରୁ ଅଧିକ ମହିଳା ନେତ୍ରୀ କାର୍ଯ୍ୟକ୍ରମରେ କଲେ ଯୋଗଦାନ
ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ମାନେକଶା ସେଣ୍ଟରଠାରେ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ; ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର; ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ, ମହିଳାମାନେ ଶିକ୍ଷା, ପ୍ରଶାସନ, ନ୍ୟାୟ ପାଳିକା, ସାମରିକ, ଔଷଧ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, କଳା ଏବଂ ଉଦ୍ୟୋଗ ଆଦି ପ୍ରତ୍ୟେକ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଗ୍ରାମାଞ୍ଚଳର ମହିଳା ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆର୍ଥିକ ଭାବରେ ସ୍ୱାବଲମ୍ବୀ ହେଉଛନ୍ତି । ସେମାନେ ପଞ୍ଚାୟତରେ ଗ୍ରାମୀଣ ବିକାଶକୁ ନେତୃତ୍ୱ ପ୍ରଦାନ କରୁଛନ୍ତି । ଅନେକ ମହିଳା ଶିଳ୍ପ, ଷ୍ଟାର୍ଟଅପ୍ ଏବଂ କର୍ପୋରେଟ୍ଜଗତରେ ନେତୃତ୍ୱ ପ୍ରଦାନ କରିବା ପାଇଁ ସେମାନଙ୍କର କ୍ଷମତା ଏବଂ ସାମର୍ଥ୍ୟକୁ ଉପଯୋଗ କରୁଛନ୍ତି । ସେମାନେ କ୍ରୀଡାରେ ମଧ୍ୟ ଉତ୍କର୍ଷ ହାସଲ କରୁଛନ୍ତି । ସୁଯୋଗ ଏବଂ ସମର୍ଥନ ମିଳିଲେ, ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିପାରିବେ ବୋଲି ଏପରି ଉଦାହରଣ ଆତ୍ମବିଶ୍ୱାସ ସୃଷ୍ଟି କରିଥାଏ ।
ରାଷ୍ଟ୍ରପତି ଆହୁରି କହିଥିଲେ, ଭାରତ ମହିଳା ନେତୃତ୍ୱାଧୀନ ବିକାଶ ଆଡ଼କୁ ଦ୍ରୁତଗତିରେ ଆଗକୁ ବଢ଼ୁଛି । ଗତ ଦଶନ୍ଧି ମଧ୍ୟରେ, ମହିଳାମାନଙ୍କ ପଥରେ ଥିବା ପ୍ରତିବନ୍ଧକ ଗୁଡ଼ିକୁ ଦୂରକରିବା ପାଇଁ ଦୃଢ଼ ମୂଳଦୁଆ ସ୍ଥାପନ କରାଯାଇଛି । ଭାରତ ସ୍କୁଲ ଶିକ୍ଷାରେ ଲିଙ୍ଗଗତ ସମାନତା ହାସଲ କରିଛି । ଉଚ୍ଚ ଶିକ୍ଷାରେ ମଧ୍ୟ, ମୋଟ ନାମ ଲେଖା ଅନୁପାତ ଦୃଷ୍ଟିରୁ ଛାତ୍ରୀଙ୍କ ସଂଖ୍ୟା ଅଧିକ । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଏସଟିଇଏମ) ଶିକ୍ଷାରେ ମହିଳାମାନଙ୍କ ଅଂଶ ଗ୍ରହଣ ଦ୍ରୁତ ଗତିରେ ବୃଦ୍ଧିପାଉଛି । କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଏସଟିଇଏମ ଛାତ୍ରୀମାନଙ୍କୁ ସେମାନଙ୍କର ପାଠପଢ଼ା ଜାରିରଖିବାରେ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଏକ ମହିଳା ଛାତ୍ରୀନିବାସ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରାଯାଇଛି । ଆମର ଝିଅମାନେ ଜ୍ଞାନ ଅର୍ଥ ବ୍ୟବସ୍ଥାର ନେତୃତ୍ୱ ନେବାପାଇଁ ପ୍ରସ୍ତୁତ ହେଉଛନ୍ତି ।
ସମାବେଶକୁ ସମ୍ବୋଧିତ କରି କେନ୍ଦ୍ରମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ କହିଥିଲେ ଯେ ଏହି ଦିବସ ଭାରତର ମହିଳାମାନଙ୍କ ସଂକଳ୍ପ, ସମର୍ପଣ ଏବଂ ସଫଳତାକୁ ପାଳନ କରାଯାଉଛି । ମହିଳାମାନେ ଦେଶର ଜନସଂଖ୍ୟାର ଅଧା ଅଟନ୍ତି ଏବଂ ସେମାନେ ବିକଶିତ ଭାରତର ମୂଳଦୁଆ । ସେ କହିଥିଲେ ରାଷ୍ଟ୍ରପତି ନିଜେ ଏକ ଜୀବନ୍ତ ଉଦାହରଣ ଭାବରେ ଠିଆ ହୋଇଛନ୍ତି ଯେ ଜଣେ ମହିଳା, ଯେତେବେଳେ ସୁଯୋଗ ଏବଂ ସମ୍ମାନ ପାଆନ୍ତି, ସେ କିପରି ସର୍ବୋତ୍ତମ ଉଚ୍ଚତାକୁ ଉଠିପାରନ୍ତି ଏବଂ ସମାଜ ପାଇଁ ଏକ ନୂତନ ପଥ ଆଲୋକିତ କରିପାରନ୍ତି । ଆଜିର ମହିଳାମାନେ କେବଳ ଗୃହିଣୀ ନୁହଁନ୍ତି ବରଂ ରାଷ୍ଟ୍ର ନିର୍ମାତା ମଧ୍ୟ । ସରକାରଙ୍କ ନୀତି ଯୋଗୁଁ, ଗତ ଛଅ ବର୍ଷ ମଧ୍ୟରେ କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କ ଅଂଶ ଗ୍ରହଣ ୨୨.୩ ପ୍ରତିଶତରୁ ବୃଦ୍ଧିପାଇ ୪୧.୭ ପ୍ରତିଶତ ହୋଇଛି ।
ଏହି ଅବସରରେ ମହିଳାଙ୍କ ପ୍ରଗତିକୁ ନେଇ ନାରୀଶକ୍ତି, ରାଷ୍ଟ୍ରଶକ୍ତି ଶୀର୍ଷକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ସେହିପରି ମହିଳାଙ୍କ ସଶକ୍ତିକରଣ ପାଇଁ ଭାରତ ସରକାର ଦେଶବ୍ୟାପୀ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ଆଉଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସାରଣ କରାଯାଇଥିଲା । କାର୍ଯ୍ୟକ୍ରମ ଅବସରରେ ଶ୍ରମ ସଂହିତା – ମହିଳା ସଶକ୍ତିକରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଉଦ୍ୟୋଗୀ ଭାବରେ ବିକଶିତ କରିବା ଉପରେ ଦୁଇଟି ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା । ନାରୀଶକ୍ତିକୁ ନେଇ ଉତ୍ସବ ପାଳନ କରିବା ପାଇଁ ପ୍ରାୟ ୨୦୦ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନର ୧,୦୦୦ରୁ ଅଧିକ ମହିଳା ନେତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମନ୍ତ୍ରଣାଳୟର ସଚିବ ଅନିଲ ମଲିକ ସ୍ୱାଗତ ଭାଷଣ ଦେଇଥିଲେ ।