ୟୁରୋ ସ୍କୁଲର ୭ମ ବାର୍ଷିକୋତ୍ସବ “ଆରୋହଣ” ଖୁବ୍ ଚିତ୍ତାକର୍ଷକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲର ୭ମ ବାର୍ଷିକୋତ୍ସବ “ଆରୋହଣ” କାର୍ଯ୍ୟକ୍ରମ ଖୁବ୍ ଚିତ୍ତାକର୍ଷକ ଥିଲା । ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟାଭିନୟ, ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ, ସମ୍ବଲପୁରୀ, ଏବଂ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇ ଦର୍ଶକଙ୍କୁ ବିମୋହିତ କରିଥିଲା । ଅନୁଷ୍ଠାନର ଭିତ୍ତିଭୂମି ଓ ଶିକ୍ଷଣ ପଦ୍ଧତିକୁ ଗଣ୍ୟମାନ୍ୟ ଅତିଥିଗଣ ଉଚ୍ଚ ପ୍ରଶଂସା କରିଥିଲେ । ବ୍ଲାକ ରବିଙ୍କ କମେଡି ଏବଂ ସିନେ ଅଭିନେତ୍ରୀ ଶୀତଳ ପାତ୍ରଙ୍କ ଅଭିନୟ ଯାଦୁରେ ଦର୍ଶକ ଝୁମି ଯାଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଶକ୍ତି-ଏନ୍‌-ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ୍‌ର ପ୍ରତିଷ୍ଠାତା ସୌଦାମିନୀ ମହାପାତ୍ର ଓ ଭାସ୍କର ମହପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ, ୨୦୧୮ ମସିହାରେ ଛତ୍ରପୁର ସହରରେ ଖୋଲିଥିବା ଏଭଳି ଏକ ଆନ୍ତର୍ଜାତୀୟସ୍ତରର ଅନୁଷ୍ଠାନ ଦ୍ୱାରା ପରିଚାଳିତ ୟୁରୋ-ସ୍କୁଲରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ବି ସହାୟକ ହୋଇପାରିବ । ଏହାସହ ଲୁକ୍କାୟିତ ପ୍ରତିଭା ବି ଲୋକଲୋଚନକୁ ଆସିପାରିବ, ଆମେ ଦେଖି ଆସିଛୁ ଯେ ଅନୁଷ୍ଠାନ ପ୍ରଥମେ ୫୦ ପିଲାଙ୍କୁ ନେଇ ପାଠପଢ଼ା ଆରମ୍ଭ କରିଥିଲା । ଆଜି ଏହି ଅନୁଷ୍ଠାନର ସଫଳ କାର୍ଯ୍ୟକ୍ରମ ଲାଗି ୮ ଶହରୁ ଅଧିକା ପିଲା ଅଧ୍ୟୟନ କରୁଛନ୍ତି । ଆମ ଅଞ୍ଚଳରେ ଏହିପରି ଅନୁଷ୍ଠାନ ଗଢ଼ି ଉଠିଥିବା ନେଇ ମୁଁ ଗର୍ବିତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଅଭିଭାବକ ତଥା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ ଶକ୍ତି-ଏନ୍‌-ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ୍ ଦ୍ୱାରା ପରିଚାଳିତ ଏହି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଯୁଗୋପଯୋଗୀ ଶିକ୍ଷା ପ୍ରାଦନ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବେଶ୍ ଉତ୍ସାହିତ ହୋଇଥିବା ସହିତ ସ୍କୁଲ୍ ମ୍ୟାନେଜମେଣ୍ଟ କମିଟିକୁ ଜିଲ୍ଲାପାଳ କୃତଜ୍ଞତା ଜଣାଇଛନ୍ତି । ଏହି ସାଂସ୍କୃତିକଭରା କାର୍ଯ୍ୟକ୍ରମରେ ଗଞ୍ଜାମ ଏସ୍‌.ପି. ଶୁଭେନ୍ଦୁ କୁମାର ପାତ୍ର ମଧ୍ୟ ସମ୍ମାନିତ ଅତିଥିଭାବେ ଯୋଗଦେଇ ସିବିଏସଇ ସ୍ୱୀକୃତିପ୍ରାପ୍ତ ଦ୍ୱାଦଶ ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ ହୋଇଥିବା ନେଇ ଅନୁଷ୍ଠାନର ଉଦ୍ୟକ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଛତ୍ରପୁର ସହରର ପ୍ରଥମ ଶିକ୍ଷାନୁଷ୍ଠାନ ଏହି ବିଦ୍ୟାଳୟ ଗୌରବ ହାସଲ କରିଥିବା ବେଳେ ଯୁକ୍ତଦୁଇ ବିଜ୍ଞାନ ପାଠ୍ୟକ୍ରମ ସହିତ ଜେ.ଇ. ଓ ନିଟ୍ ପାଠ୍ୟକ୍ରମ ପାଇଁ ସୁବିଧା ଉପଲବ୍ଧ ରହିଥିବା ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି ବୋଲି ଗଞ୍ଜାମ ଏସ୍‌.ପି ଭୂୟସୀ ପ୍ରଶଂସା କରିଛନ୍ତି । ସ୍ୱତନ୍ତ୍ର ଅତିଥି ଭାବେ ଘୁମୁସର ଭଞ୍ଜନଗର ଡ଼ିଏଫଓ ବିପଶା ପାରଲୋ ଏବଂ ଜିଲ୍ଲାପାଳଙ୍କ ଧର୍ମପତ୍ନୀ ତଥା ଅଭିଭାବିକା ପବିତ୍ରା ମ୍ୟାଡମ୍ପ୍ରମୁଖ ଯୋଗଦେଇ ଖୁସିବ୍ୟକ୍ତ କରିଥିଲେ । ସ୍କୁଲ୍ ଏକାଡେମୀ ନିର୍ଦ୍ଦେଶକ ପି.କେ. ମିଶ୍ର ବାର୍ଷିକ ବିବରଣୀରେ ପାଠ କରିଥିଲେ । ସୂଚନା ଯୋଗ୍ୟ ଯେ’ ଏହି ଅନୁଷ୍ଠାନ କାଇଟସ୍ ପ୍ରଡକ୍ସନ୍ ସଂସ୍ଥା ପକ୍ଷରୁ ଏସିଆନ୍ ଏକ୍ସୁକେସନ୍‌-୨୦୨୦’ ସମ୍ମାନରେ ସମ୍ମାନିତ ହୋଇଥିବା ଜଣାଯାଇଛି । ୨୦୨୦-୨୧ରେ ଡିଜିଟାଲ୍ କ୍ଲାସରୁମ୍ , ସ୍ମାର୍ଟକୋଚିଂ, ମୌଖିକ ଶିକ୍ଷାଶୈଳୀ ଓ ଗ୍ରୁପ୍ ଆଲୋଚନା ସମେତ ବିଭିନ୍ନ କାର୍ଯ୍ୟକ୍ରମକୁ ବେଙ୍ଗାଲୁରୁର ‘ଇମେଜ୍ ପ୍ଲାନେଟ୍‌ ସଂସ୍ଥା ତରଫରୁ ପ୍ରଶଂସାପତ୍ର ମିଳିଛି । ଏହାସହ ଏହି ଅନୁଷ୍ଠାନ ଶ୍ରେଷ୍ଠ ଏମର୍ଜିଂ ପ୍ରାଇମେରି ସ୍କୁଲ ଇନ୍ ଛତ୍ରପୁର ନାମରେ ପୁରସ୍କୃତ ହୋଇଛି । ଏହାସହ ଅନୁଷ୍ଠାନର ଗତବର୍ଷ ପ୍ରଥମ ବ୍ୟାଚ୍ ଦଶମ ଶ୍ରେଣୀ ପରୀକ୍ଷାରେ ୨୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ ଜଣ ଛାତ୍ରଛାତ୍ରୀ ୯୬ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୮ ଜଣ ୯୦ ପ୍ରତିଶତ ଏବଂ ବାକି ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ କମ୍ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ପ୍ରିନ୍ସପାଲ ତପସ୍ପିନୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁଷ୍ଠାନର ପ୍ରଥମ ଶ୍ରେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଟପରମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସେହିପରି ସର୍ବଭାରତୀୟ ସ୍ତରରେ ସିଲଭ୍ର ଜୋନ୍ ଅଲମ୍ପିଆଡ୍ ପରୀକ୍ଷା ଅନୁଷ୍ଠାନର ତୃତୀୟ ଶ୍ରେଣୀ ଛାତ୍ରୀ ନ୍ୟାସା ପଟ୍ଟନାୟକ ପ୍ରଥମ ହୋଇଥିବାରୁ ତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ପୃଷ୍ଠପୋଷକ ଶ୍ରୀମତୀ ସସ୍ମିତା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଉତ୍ତମ ଶିକ୍ଷାଦାନ ଓ ଦାୟିତ୍ୱବାନ ପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ପକ୍ଷରୁ ସ୍କୁଲ ଅଧ୍ୟକ୍ଷ ଓ ମୁଖ୍ୟ ପୃଷ୍ଠପୋଷକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ସୁନାମଧନ୍ୟ କଣ୍ଠଶିଳ୍ପୀ ଗଣେଶ ପଟ୍ଟନାୟକଙ୍କ ଟ୍ରୁପ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଓଡିଆ ସିନେ ଜଗତର ହାସ୍ୟ ଅଭିନେତା ‘ବ୍ଲାକ୍ ରବି’ ଙ୍କ ମଜାଳିଆ କମେଡି ଏବଂ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି, ଅଭିନେତ୍ରୀ ଶୀତଲ ପାତ୍ରଙ୍କ ଅଭିନୟ ଯାଦୁରେ ଦର୍ଶକ ଝୁମିଲେ । ଏହା ସହିତ ଅର୍ପିତା ପଣ୍ଡାଙ୍କ ସଂଗୀତରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବେଶ୍ ମଜା ଉଠାଇଥିଲେ । ଅନୁଷ୍ଠାନର ନୃତ୍ୟ ଶିକ୍ଷକ ପୂର୍ଣ୍ଣଞ୍ଜୟ ଜେନାଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ପରିବେଷଣ ହୋଇ ଏହି ବର୍ଣ୍ଣାଢ଼୍ୟ ଉତ୍ସବ ଦର୍ଶକଙ୍କୁ ବିମୋହିତ କରିଥିଲା ।

Leave A Reply

Your email address will not be published.