ବିସ୍ଥାପନ ବିହୀନ ଜଳ ସେଚନ ପାଇଁ ଉଠିଲା ଦାବୀ

  • ଅନାଦିବାହାଲ ଓ ମନବୋଧପାଲି ପ୍ରକଳ୍ପ ଆଉ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : କ୍ରମାଗତ ମରୁଡି ଅଣଜଳସେଚିତ ପଦ୍ମପୁର ଉପଖଣ୍ଡର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି । ପଦ୍ମପୁର ଉପଖଣ୍ଡର ଜୀବନରେଖା ହେଉଛି ଅଙ୍ଗନଦୀ କିନ୍ତୁ ବର୍ଷା ଜଳର ସୁପରିଚାଳନା ଅଭାବରୁ ତଥା ରାଜନୈତିକ ଇଛାଶକ୍ତିର ଅଭାବରୁ ଏକ ସମୃଦ୍ଧ କୃଷିଅଞ୍ଚଳର ଚାଷୀ ତାହାର ଲାଭ ପାଉନାହାନ୍ତି । ଅନ୍ୟପଟେ ଏହି ନଦୀର ବାଲି ମାଫିଆଙ୍କ ଦୌରାତ୍ମ୍ୟରୁ ଶୋଷିତ ହୋଇ କୋଟି କୋଟି ଟଙ୍କାର ରାଜସ୍ୱ ସରକାର ହରାଉଛନ୍ତି । ସ୍ଥାନୀୟ ଚେତନା ଶ୍ରମିକ ସଂଘ ଠାରେ ପାଇକମାଲ ରାଜବୋଡ଼ାସମ୍ବର କୃଷକ ସଂଗଠନର ଏକ ବୈଠକ ସଂଗଠନର ଆଇନ ପରାମର୍ଶଦାତା ଅଜିତ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଚିର ମରୁଡି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡର ଚାଷୀକୂଳ ଜଳସେଚନ ଅଭାବରୁ କ୍ରମାଗତ ମରୁଡିର ଶିକାର ହୋଇ ତାଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲାଣି । ସରକାର ପରେ ସରକାର ପରିବତ୍‌ର୍ତନ ହେଉଛି ତା’ ସହିତ ପ୍ରତିନିଧି ମଧ୍ୟ । ତୁହାକୁ ତୁହା ପ୍ରତିଶ୍ରୁତି ଦିଆଯାଉଛି, ପ୍ରକଳ୍ପ ଘୋଷଣା କରାଯାଉଛି ହେଲେ ରୂପାୟନ ଶୂନ । ବିଗତ ସରକାର ପ୍ରତ୍ୟେକ ବ୍ଲକରେ ୩୫ ପ୍ରତିଶତ ଜଳସେଚନର ଘୋଷଣା କରିଥିଲେ । ମାତ୍ର ଆଜି ମଧ୍ୟ ପଦ୍ମପୁର ଉପଖଣ୍ଡରେ ମାତ୍ର ୨୨% ଜଳସେଚନ ହୋଇଛି । କୃଷକ ସଂଗଠନର ବିସ୍ଥାପନ ବିହୀନ ଜଳସେଚନର ଦାବୀକୁ ଦୃଷ୍ଟିରେ ରଖି ପଦ୍ମପୁରର ଜୀବନରେଖା ଅଙ୍ଗନଦୀରେ ପାଇକମାଲ ବ୍ଲକର ମାନବୋଧପାଲି, ଝାରବନ୍ଧ ବ୍ଲକର ଅନାଦିବାହାଲ, ବଡ଼କୁଞ୍ଜରୀ, ପାଇକମାଲ ବ୍ଲକର ପୂଝରୀପାଲି, ମୋହନପାଲି, ପଦ୍ମପୁର ବ୍ଲକର ଦଙ୍ଗାଘାଟ ଓ ଗାଇସିଲଟ ବ୍ଲକର ଜାମୁଟବାହାଲ ଠାରେ ଆନ୍ତ ନଦୀ ଷ୍ଟୋରେଜ କିମ୍ବା ଆନିକଟ କରି ଜଳସେଚନ ପାଇଁ ସର୍ଭେ କରି ଫିଜିବିଲିଟି ରିପୋର୍ଟ ସରକାରଙ୍କୁ ପଠା ଯାଇଥିଲା । ଅନାଦିବାହାଲ ପ୍ରକଳ୍ପ ପାଇଁ ଗତ ସରକାର ୧୦୪ କୋଟି ଟଙ୍କା ଘୋଷଣା କରିଥିଲେ ମଧ୍ୟ ତାହା ଘୋଷଣାରେ ସୀମିତ ହୋଇ ରହିଯାଇଛି । ସେଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ । ସେହିପରି ମାନବୋଧପାଲି ପ୍ରକଳ୍ପର ସର୍ଭେ ପରେ ଫିଜିବିଲିଟି ରିପୋର୍ଟ ଦାଖଲ ହୋଇଥିଲେ ମଧ୍ୟ ଏହି ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ଅନୁମୋଦନ ଲାଭ କରିନାହିଁ । ମନବୋଧପାଳି ପ୍ରକଳ୍ପ ହେଲେ ମିଠାପାଲି, ମାଣ୍ଡିଆଢ଼ିପା, ପାଇକମାଲ, କେଛୋଦାଦର, ଭେଙ୍ଗରାଜପୁର, ପଲସଦା ତଥା କେର୍ମେଲାବାହାଲ ଗ୍ରାମ ପଂଚାୟତର ହଜାର ହଜାର ହେକ୍ଟର ଜମି ଜଳସେଚିତ ହୋଇ ଚାଷୀ ଉପକୃତ ହେବେ । ଏହାର ପାଣି କେନାଲ ମାଧ୍ୟମରେ କୁମୁଡି ନାଲା ପ୍ରକଳ୍ପରେ ପଡି ପଦ୍ମପୁର ବ୍ଲକର ଜମି ମଧ୍ୟ ଜଳସେଚିତ ହେବ । ଉଲ୍ଲେଖ ଯୋଗ୍ୟ ଯେ, ଏହା ଦ୍ୱାରା କେହି ବିସ୍ଥାପିତ ହେବେନାହିଁ ଓ ସରକାରଙ୍କୁ ଜମି ଅଧିଗ୍ରହଣ କରି ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ଏଣୁ ଏହି ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରାଯିବାକୁ ଆସନ୍ତାକାଲି ଜିଲ୍ଲାପାଳଙ୍କ ଜନଶୁଣାଣୀ ପାଇକମାଲ ଠାରେ ଏକ ଦାବିପତ୍ର ଦେବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ଏକ ବିଶାଳ ବାଇକ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପ ଜ଼ିଲ୍ଲାପାଳ ପଦ୍ମପୁରଙ୍କୁ ପ୍ରଦାନ କରାଯିବ ବୋଲି ସ୍ଥିରୀକୃତ ହୋଇଛି । ବୈଠକରେ ରାଜବୋଡ଼ାସମ୍ବର କୃଷକ ସଂଗଠନର ଉପ ସଭାପତି ସୁବାସ ସାମନ୍ତରାୟ ପାଇକମାଲ ସଂଗଠନର ବେଦବର ସାହୁ, କୌତୁକ ସାହୁ, ରାଜୀବ ସାହୁ, ଚିତ୍ତରଞ୍ଜନ ପ୍ରଧାନ, ଭୁବନେଶ୍ୱର ପ୍ରଧାନ, ହୋତସନ ସାହୁ, ପୁଷ୍ପାନନ୍ଦ ସାହୁ, ବିରଞ୍ଚି ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.