ଲୋୟର ସୁକତେଲ ଡ୍ୟାମ ଅଂଚଳର ସାମଗ୍ରିକ ଉନ୍ନତି ପାଇଁ ୧୨ଟି ପ୍ରସ୍ତାବ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସର୍ବବୃହତ ଜଳସେଚନ ପ୍ରକଳ୍ପ ଭାବେ ଗଢି ଉଠିଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଜିଲ୍ଲା ପାଇଁ ଏକ ଐତିହାସିକ ପଦକ୍ଷେପ । ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଗ୍ରାମ ପ୍ରଭାବିତ ହୋଇଥିବା ସହ ଅନେକ ପରିବାର ସମ୍ପୁର୍ଣ୍ଣ ବିସ୍ଥାପିତ ହୋଇ ପୁନର୍ବାସ ଓ ଥଇଥାନ କଲୋନୀରେ ବସବାସ କରୁଛନ୍ତି । ପ୍ରକଳ୍ପ ନିର୍ମାଣ ସମୟରେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରିଥିବା ଅଂଚଳର ଅନେକ ଅଂଶ ଉଜୁଡି ଯାଇଛି । ଏହି ଅଂଚଳକୁ ପୁନଃ ଉନ୍ନତି କରି ଓଡିଶାର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଭାବେ ଗଢି ତୋଳାଯାଇପାରିବ । ଏହା ମାଧ୍ୟମରେ ଅଂଚଳର ଅନେକ ଲୋକଙ୍କ ପାଇଁ ଲୋକଙ୍କର ରୋଜଗାର ସୃଷ୍ଟି ହେବା ସହ ସାମାଜିକ ସାଂସ୍କୃତିକ ଉନ୍ନତି ମଧ୍ୟ ସମ୍ଭବ । ବନଦୁର୍ଗା ମହୋତ୍ସବ କମିଟି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନାରେ ଏହି ମତ ପ୍ରକାଶ ପାଇଥିଲା ଓ ଟିଟିଲାଗଡ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । କମିଟି ନିଷ୍ପତ୍ତି ଅନୁଯାୟୀ ୧୨ଗୋଟି ପ୍ରସ୍ତାବ ଯଥା:- ସୁକତେଲ ଡ୍ୟାମ ତଳି ଅଂଚଳରେ ଥିବା ଖେଳ ପଡିଆକୁ ଉଚ୍ଚ ମାନର ଷ୍ଟାଡିୟମ, ବାବା ବର୍ଫାନି ମହାଦେବ ମନ୍ଦିର ଏବଂ ବନଦୁର୍ଗା ମନ୍ଦିର ନିର୍ମାଣ ପାଇଁ ୧୦୦ କୋଟି ଅନୁଦାନ, ସଂସ୍କୃତି ବିଶ୍ୱବିଦ୍ୟାଳୟ, ୧୦୦ରୁ ଅଧିକ ଷ୍ଟଲ, ଫଳ ଓ ଔଷଧିୟ ଉଦ୍ୟାନ, ମୟୁର ଓ ଅନ୍ୟାନ୍ୟ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ ଏକ ପାହାଡକୁ ସୁରକ୍ଷିତ ପକ୍ଷୀ ଓ ବନ୍ୟପ୍ରାଣୀ ଅଭୟାରଣ୍ୟ, ଏକ ଅତିଥି ନିବାସ ସହ କନ୍‌ଫରେନ୍ସ ହଲ ନିର୍ମାଣ, ସୁକତେଲ ଡ୍ୟାମକୁ ସଂଯୋଗ କରୁଥିବା ବଲାଙ୍ଗିର-ପାଟଣାଗଡ ରାସ୍ତାରେ ବାରପୁଡୁଗିଆ ଛକ ନିକଟରେ ଉଚ୍ଚ ସୁକତେଲ ଗେଟ ନିର୍ମାଣ, ଲର୍କିପାଲି ଆର୍‌.ଆର୍‌. କଲୋନୀ ବିଦ୍ୟାଳୟକୁ ଉନ୍ନିତ ଉଚ୍ଚ ବିଦ୍ୟାଳୟ (ଯୁକ୍ତଦୁଇ), ସମସ୍ତ ଆର୍‌.ଆର୍‌. କଲୋନୀରେ ସାମାଜିକ ସାଂସ୍କୃତିକ କାର୍ଯ୍ୟ ପାଇଁ ସ୍ଥାୟୀ କଲ୍ୟାଣ ମଣ୍ଡପ ୨ କୋଟି ଅନୁଦାନ, ସମସ୍ତ କଲୋନୀରେ ସ୍ଥାୟୀ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ପିଇବା ପାଣି, ଗାଧୋଇବା ପାଇଁ ପୋଖରୀ ଓ ସ୍ୱାସ୍ଥ୍ୟସେବା ପାଇଁ ଆରୋଗ୍ୟ ମନ୍ଦିର ନିର୍ମାଣ କରିବା ଆଦି ବିଭିନ୍ନ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ ଓ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଏହି ଆଲୋଚନାରେ ସଭାପତି ସଂଜୟ ଗଡତ୍ୟା, ସଂପାଦକ ଜୟକୃଷ୍ଣ ମିଶ୍ର, ଉପ-ସଭାପତି କୈଳାସ ଚନ୍ଦ୍ର ସିଂଦେଓ, ସହ-ସଂପାଦକ ବିକାଶ ରଂଜନ ରଥ, କୋଷାଧ୍ୟକ୍ଷ ନରେନ୍ଦ୍ର ବିଶି, ସ୍ୱେଚ୍ଛାସେବୀ ବିଶ୍ୱଜିତ ନାଥ, ଶାନ୍ତନୁ ସିଂ, ବ୍ୟାସଦେବ ବନଛୋର, ଅଜୟ ଗଡତ୍ୟା, ପ୍ରମୋଦ ପଟେଲ, ଗିରିଧାରୀ ପୁଟା, ସଦାନନ୍ଦ ମହଲା ପ୍ରମୁଖ ଭାଗ ନେଇଥିଲେ ।

Leave A Reply

Your email address will not be published.