ଆନ୍ତର୍ଜାତୀୟ ମହିଳା ଦିବସ -୨୦୨୬ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବଣି ବକ୍ରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରବିବାର ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦ ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ଵନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠର ଛାତ୍ରୀମାନେ ଓ‌ ପଦ୍ମାଳୟା ସ୍ୱୟଂ ସହାୟିକା ଗୋଷ୍ଠୀ, ଓମ୍ ସାଇ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନେ ଯୋଗଦେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଝୋଟି ଚିତା ପ୍ରତିଯୋଗିତା ଆମ ପରମ୍ପରାର ପରିଚୟ ପ୍ରଦାନ କରିଥିଲା । ଏଥିସହିତ ମନୋରଞ୍ଜନ ପାଇଁ ପୁଣି, ଦୌଡ ଡିଆଁ, ଶଙ୍ଖ ଫୁଙ୍କା ଓ ହୁଳହୁଳି ପ୍ରତିଯୋଗିତାର ଆୟୋଜନ କରାଯାଇ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠାନର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାଶଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ଵନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ପର୍ଶୁରାମ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ନାରୀର ଭୂମିକା ବିଷୟରେ ଆଲୋକ ପାତ କରିଥିଲେ ଏବଂ ମୁଖ୍ୟବକ୍ତା ଭାବେ ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ପ୍ରତିଷ୍ଠାତା ଗୋପାଳ ଚନ୍ଦ୍ର ମହାପାତ୍ର ସମାଜରେ ନାରୀମାନଙ୍କ ସମ୍ମାନ, ସ୍ୱାଧିନତା ତଥା ନ୍ୟାୟ ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ଓ ପରିବେଶବିତ୍ ହୃଷିକେଶ ପାଢି ଓ ପ୍ରଦୀପ କୁମାର ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପରିଶେଷରେ ବିଜୟଲକ୍ଷ୍ମୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହିତ ବିଜୟଲକ୍ଷ୍ମୀ ଜେନା, ଶ୍ରଦ୍ଧାଞ୍ଜଳି ପାଲଟା ସିଂ, ଲକ୍ଷ୍ମୀ ଜୟସିଂହ ଓ ଲକ୍ଷ୍ମୀପ୍ରିୟା ଦାଶ ପ୍ରମୁଖ ନାରୀ ଶୀର୍ଷକ ସମାଜ ଉପଯୋଗୀ ସ୍ୱରଚିତ କବିତା ଆବୃତ୍ତି କରି ଶୁଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ରମ୍ୟର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାଶ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ତଥା ସମାଜରେ ମହିଳାଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.