ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଚାଟିକଣାରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା କରିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଚାଟିକଣାସ୍ଥିତ ପୁରୁଣା ଷ୍ଟେସନ୍ ସାହିର ପୁରୁଷୋତ୍ତମ ଗନ୍ତାୟତଙ୍କ ପୁଅ ଋଷି ଗନ୍ତାୟତ (୭)କୁ କେହି ଜଣେ ଅପହରଣ କରି ନେଇଥିଲେ । ପରେ ପୁରୁଷୋତ୍ତମଙ୍କ ସଂପର୍କୀୟଙ୍କୁ ଏକ ଅଜଣା ନମ୍ବରରୁ ମେସେଜ୍ ଆସିଥିଲା ଯେ, ତିନି ଲକ୍ଷ୍ୟ ପଚାଶ ହଜାର ଟଙ୍କା ଦେଲେ ଋଷିକୁ ପାଇବ ବୋଲି କହିଥିଲେ । ଏ ସଂପର୍କରେ ପୁଲିସକୁ କିମ୍ବା କାହାକୁ ଜଣାଇଲେ ସ୍ଥିତି ଖରାପ ହେବ ବୋଲି ଧମକ ଦେଇଥିଲେ । ପରିବାର ଲୋକ ଓ ସମ୍ପର୍କୀୟ ମିଶି ଖୋଜାଖୋଜି କରିଥିଲେ ମଧ୍ୟ ଋଷିର ପତ୍ତା ପାଇ ନଥିଲେ । ବିଳମ୍ବିତ ରାତ୍ରିରେ ଋଷିର ମୃତଦେହ ଏକ ବସ୍ତାରେ ବନ୍ଧାଯାଇ ଘର ପଛପଟେ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ବିଷମକଟକ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରୁଛି । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯିବ ବୋଲି ବିଷମକଟକ ଥାନା ଅଧିକାରୀ ସମର୍ପିତା ସ୍ୱାଇଁ କହିଛନ୍ତି । ଏପଟେ ପରିବାର ଲୋକେ ନ୍ୟାୟ ପାଇଁ ପ୍ରଶାସନ ପାଖରେ ଦାବି କରିଛନ୍ତି ।