ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଉତ୍ତରାଖଣ୍ଡର ମସୌରୀରେ ଅବସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ନିର୍ଦ୍ଦେଶକ ତଥା ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀରାମ ତାରଣିକାନ୍ତି ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି କୃଷି ଓ କୃଷକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପୂର୍ତ୍ତ, ମହିଳା ଓ ଶିଶୁ ବିକାଶ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ପ୍ରତିଷ୍ଠାନ ଏବଂ ସଂସ୍କୃତି, ବ୍ରହ୍ମପୁର ମହାନଗର ନିଗମ ପ୍ରମୁଖ ବିଭାଗ ଓ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନହିତୈଷୀ ଯୋଜନାର କାର୍ଯ୍ୟାନ୍ଵୟନର ସମୀକ୍ଷା କରିଛନ୍ତି । ସେ ମଧ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଜିଲ୍ଲାରେ ବାସ୍ତବ କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କ୍ଷେତ୍ର ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନଙ୍କ କାର୍ଯ୍ୟଶୈଳୀ ଏବଂ ଜନସାଧାରଣମାନଙ୍କ ଭାଗିଦାରୀ ବିଷୟରେ ସେ ଅବଗତ ହୋଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅଭିଯୋଗ ଶୁଣାଣୀ, ସିଭିଲ ସର୍ଭିସର ପରୀକ୍ଷାର୍ଥୀଙ୍କ ନିମନ୍ତେ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ ବ୍ୟବସ୍ଥା, ପରିବେଶ ସୁରକ୍ଷା ନିମନ୍ତେ ”ପ୍ରକୃତି ପାଇଁ ପ୍ରତିଜ୍ଞା” ଓ ଜିଲ୍ଲା ପ୍ରଶାସନର ଅନ୍ୟ ସମସ୍ତ ଅଭିନବ ପ୍ରୟାସ ସମ୍ବନ୍ଧରେ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ । ଜିଲ୍ଲା ପ୍ରଶାସନର ଏଭଳି ଅଭିନବ କାର୍ଯ୍ୟକ୍ରମର ସେ ପ୍ରଶଂସା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟି ଓ ଦେବଦତ୍ତ ପଣ୍ଡା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶକ ଦେବକଲ୍ୟାଣ ବେହେରା, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋଖରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Prev Post