ନୂଆପଡ଼ାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୧୦ତମ ଜୟନ୍ତୀ ପାଳିତ : “ଆଧୁନିକ ଓଡ଼ିଶାର ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି”

ନୂଆପଡ଼ା, (ସନ୍ତୋଷ କୁମାର ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା ଖରିଆରରୋଡ୍ ସହରଠାରେ ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଜିଲ୍ଲା ସ୍ତରରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି । ବିଜେଡ଼ି ଜିଲ୍ଲା ସଭାପତି ଅବନୀ ରଂଜନ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଜିଲ୍ଲାର ବହୁ ବିଶିଷ୍ଟ ନେତୃବୃନ୍ଦ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ବିଜେଡ଼ି ରାଜ୍ୟ ସମ୍ପାଦକ ରାଜେଶ ନିଗମ ବରିଷ୍ଠ ନେତା ହରିଶ୍ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପସିଂ ମାଝି ଓ ଉମା ଠାକୁର, ଜିଲ୍ଲା ସାଧାରଣ ସମ୍ପାଦକ କାର୍ତ୍ତିକ ଦୀପ, ନୂଆପଡ଼ା ବ୍ଲକ ସଭାପତି ଚୁରନସିଂ ମାଝି, କୋମନା ବ୍ଲକ ସଭାପତି କ୍ଷମାସିଂ ବିଆଲ, ବରିଷ୍ଠ ନେତା ମହମ୍ମଦ ଜୁନେଦ ପ୍ରମୁଖ ଉପସ୍ଥିତ ରହି ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସଭାରେ ଉଦବୋଧନ ଦେଇ ଅତିଥିମାନେ କହିଥିଲେ ଯେ, ବିଜୁବାବୁ କେବଳ ଜଣେ ନେତା ନଥିଲେ, ସେ ଥିଲେ ଆଧୁନିକ ଓଡ଼ିଶାର ଶିଳ୍ପୀ । ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଶାସନିକ ସୁଧାର ଆଣି ସେ ୧୩ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରିଥିଲେ । ଯାହାଫଳରେ ବିକାଶର ଧାରା ଗାଁରୁ ସହର ପର୍ଯ୍ୟନ୍ତ ପହଞ୍ଚିପାରିଛି । ତାଙ୍କର ଦୂରଦୃଷ୍ଟି ଯୋଗୁଁ ହିଁ ଆଜି ଓଡ଼ିଶା ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି । ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ୍ କରି ନେତୃବୃନ୍ଦ କହିଥିଲେ ଯେ, ବର୍ତ୍ତମାନର “ରଙ୍ଗ ବଦଳାଉଥିବା” ସରକାର ଅମଳରେ ରାଜ୍ୟର ବିକାଶ ମନ୍ଥର ହୋଇପଡ଼ିଛି । ମାତ୍ର ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ବିଜେଡ଼ି ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ନେଇ ପୁନର୍ବାର ଶାସନକୁ ଫେରିବ ଏବଂ ବିକାଶର ରଥକୁ ଆଗକୁ ନେବ ବୋଲି ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

Leave A Reply

Your email address will not be published.