ରେଳଷ୍ଟେସନରୁ ନାବାଳିକାକୁ ଉଦ୍ଧାର କଲେ ଆରପିଏଫ୍‌ ଓ ଚାଇଲ୍ଡ ଲାଇନ

ଟିଟିଲାଗଡ, (ଗୌରବ ଦର୍ଜୀ ) : ଆଜି ଟିଟିଲାଗଡ ରେଳ ଷ୍ଟେସନରେ ଜଣେ ଛୋଟ ନାବାଳିକା ବୁଲୁଥିବାର ଦେଖି ଆରପିଏଫ ପଚରାଉଚୁରା କରିଥିଲା । ଜଣା ପଡିଥିଲା ଯେ, ସେହି ଛୋଟ ଝିଅଟି ଟ୍ରେନରେ ବସି ଏକାକୀ ପଳେଇ ଆସିଛି । ଝିଅଟି ସ୍ପଷ୍ଟ ନିଜ ପରିଚୟ ଦେଇ ପାରିନଥିଲେ ମଧ୍ୟ ଝିଅଟିର ନାମ କାଜଲ ସୁନାନୀ ବୋଲି କହିଛି । ଝିଅଟି କହିଛି ଘରେ ରଖିଥିବା ଏକ ଟଙ୍କା ବାକ୍ସ ଚୋରି କରିଥିବାରୁ ତା’ର ବାପା, ବଡ଼ଭାଇ ଓ ଭାଉଜ ମାଡ଼ ମାରିଥିବାରୁ ଘରଛାଡ଼ି ମହାସମୁନ୍ଦ ରେଳଷ୍ଟେସନରେ ଟ୍ରେନରେ ବସି ପଳେଇ ଆସିଛି। ନାବାଳିକାଟିର ବୟସ ୧୫, ବାପାଙ୍କ ନାମ ମଧୁରାମ ସୁନାନୀ ଓ ସେ ଛତିଶଗଡ ରାଜ୍ୟ ମହାସମୁନ୍ଦ ନିକଟସ୍ଥ ପୁରୁଣାକାଟି ଗାଁର ୱାର୍ଡ ନମ୍ବର ୨୦ରେ ରହେ ବୋଲି କହିଛି । କିନ୍ତୁ ପରିଚୟ ଓ ଠିକଣା ସମୂର୍ଣ୍ଣ ପ୍ରମାଣ ହୋଇ ପାରିନଥିବାରୁ ଆରପିଏଫ୍‌ ଠାରୁ ଖବର ପାଇ ଚାଇଲ୍ଡ ଲାଇନର ଟିଟିଲାଗଡ ସଦସ୍ୟ ଶିବାନନ୍ଦ ବେହେରା ଓ ବଲାଙ୍ଗିର ସଦସ୍ୟ ସ୍ୱର୍ଣ୍ଣପ୍ରଭା ଡାଙ୍ଗ ପହଞ୍ଚିଥିଲେ । ଶ୍ରୀ ବେହେରା ଓ ତାଙ୍କ ସହଯୋଗୀ ଝିଅଟିକୁ ଶିଶୁ ମଙ୍ଗଳ ସମିତି (ଚାଇଲ୍ଡ ୱେଲଫେଆର କମିଟି) ସମ୍ମୁଖରେ ଉପସ୍ଥିତ କରିଥିଲେ । ଏହାପରେ ସେମାନେ ଉଦ୍ଧାର ହୋଇଥିବା ଛୋଟ ଝିଅକୁ ବଲାଙ୍ଗିର ଜିଲ୍ଲା ପଥରଚେପା ଠାରେ ଥିବା ଏକ ଆଶ୍ରମରେ ଅସ୍ଥାୟୀ ଭାବେ ରଖିଥିବା ସୂଚନା ଦେଇଛନ୍ତି । ଯେଉଁ ପର୍ୟ୍ୟନ୍ତ ଝିଅଟିର ସମ୍ପୁର୍ଣ୍ଣ ପରିଚୟ ଓ ଠିକଣା ଜଣା ନ ପଡ଼ିଛି, ସେ ପର୍ୟ୍ୟନ୍ତ ଝିଅଟି ଆଶ୍ରମରେ ରହିବ ବୋଲି କହିଛନ୍ତି । ସେପଟେ ପୋଲିସ ଓ ଚାଇଲ୍ଡ ଲାଇନ୍ ଯଥା ଶୀଘ୍ର ଠିକଣା ଖୋଜି ବାହାର କରିବା ପାଇଁ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.