ପୂର୍ବତନ ସେନା କର୍ମଚାରୀ ସୂର୍ଯ୍ୟନାରାୟଣ ଶତପଥୀଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ସେନା କର୍ମଚାରୀ ସୂର୍ଯ୍ୟନାରାୟଣ ଶତପଥୀଙ୍କ ୮୦ ବର୍ଷ ବୟସରେ ଛତ୍ରପୁରସ୍ଥିତ ରାମକୃଷ୍ଣ ନଗରରେ ଥିବା ତାଙ୍କ ନିଜସ୍ଵ ବାସଭବନରେ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ସେ ୧୯୬୫ ମସିହାରେ ପ୍ରଥମେ ସେନାବାହିନୀରେ ଯୋଗଦେଇଥିଲେ । ଉତ୍ତର ପ୍ରଦେଶର ଅକ୍ଷଗ୍ରା ଠାରେ ସେନାବାହିନୀରେ ତାଲିମ୍ ପ୍ରାପ୍ତି ପରେ ଲଦାଖ, ମଣିପୁର, ଜାମ୍ମୁ-କାଶ୍ମୀର ଭଳି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିୟୋଜିତ ହୋଇ ଦକ୍ଷତା ପ୍ରଦର୍ଶନ କରିବା ସହ ୧୯୭୧ ମସିହାରେ ଜାମ୍ମୁ କାଶ୍ମୀର ପକ୍ଷରେ ବଳ ସୁରକ୍ଷା ବାହିନୀରେ କାର୍ଯ୍ୟକରି ପାକିସ୍ତାନ ସହିତ ହୋଇଥିବା ଭୟାବହ ଯୁଦ୍ଧରେ ନିୟୋଜିତ ହୋଇଥିଲେ । ୧୯୭୨ ମସିହାରେ ଚୀନ ସହ ହୋଇଥିବା ଯୁଦ୍ଧ ସମୟରେ ଦକ୍ଷତା ହାସଲର ସହ ସେନା ବଳ ପ୍ରୟୋଗରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ୧୯୮୦ ମସିହାରେ ସେନାରୁ ଅବସର ନେଇ ଭାରତ ସରକାରଙ୍କ ଦ୍ୱାରା ଖୁବ୍ ପ୍ରଶଂସିତ ହୋଇ ପୁରସ୍କୃତ ହୋଇଛନ୍ତି । ତାଙ୍କ ବିୟୋଗରେ ତାଙ୍କରି ନିଜ ଜନ୍ମମାଟି ବ୍ରହ୍ମପୁର ନିକଟସ୍ଥ ଭାଵିନୀପୁର ଗ୍ରାମରେ ଏବଂ ଛତ୍ରପୁରସ୍ଥ ବାସସ୍ଥାନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମେଳାପି ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୨ପୁଅ, ୨ ଝିଅ, ବୋହୂ, ଜ୍ୱାଇଁ ଏବଂ ନାତିନାତୁଣୀ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି ।

Leave A Reply

Your email address will not be published.