ପୁଣି କାଟିଲେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଶାସନକୁ ଖୋଲା ଚାଲେଞ୍ଜ ଦେଇ ବେଧଡକ ଭାବେ ବାଲି ଚାଲାଣ କରୁଛନ୍ତି ବାଲି ମାଫିଆ । ବଲାଙ୍ଗିର ଜିଲ୍ଲାରେ ଏହା ଏକ ଚିରାଚରିତ ଘଟଣା ହୋଇସାରିଛି । ବିଶେଷ କରି ସୁକତେଲ ଓ ଅଙ୍ଗ ନଦୀରୁ ଉଭୟ ଦିନବେଳା ଓ ରାତିରେ ପ୍ରଶାସନର ଜାଣତରେ ବାଲି ଚୋରା ଚାଲାଣ ହେଉଛି । ସ୍ଥାନୀୟ ପୋଲିସ ତଥା ଖଣି ବିଭାଗ ସବୁ ଜାଣି ମଧ୍ୟ ନୀରବ ରହୁଥିବା ଦେଖିବାକୁ ମିଳିଛି । କିଛିଦିନ ତଳେ ରଫାଖାଲ ଠାରେ ବାଲି ମାଫିଆମାନେ ବେଆଇନ ଭାବେ ଏକ ବାଲିଘାଟ ତିଆରି କରି ବାଲି ଚୋରା ଚାଲାଣ କରୁଥିଲେ । ଏଥିପାଇଁ ସେମାନେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧକୁ କାଟି ରାସ୍ତା ନିର୍ମାଣ କରିଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ଚଢ଼ାଉ କରି ବାଲି ଚାଲାଣରେ ନିୟୋଜିତ ଗାଡ଼ି ଗୁଡ଼ିକୁ ଜବତ କରିଥିଲା । ଘଟଣାର ମାତ୍ର ଦୁଇ ସପ୍ତାହ ପରେ ମୂରସୁଣ୍ଡ ଗାଁ ନିକଟରେ ସେଭଳି ଏକ ବେଆଇନ ବାଲିଘାଟ ତିଆରି ହୋଇଛି । ରଫାଖାଲ ଭଳି ଏଠାରେ ମଧ୍ୟ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧକୁ କାଟି ମାଫିଆମାନେ ବାଲିଘାଟ ନିର୍ମାଣ କରିଛନ୍ତି । ଶାସକ ଦଳର ଜଣେ ମନ୍ତ୍ରୀଙ୍କ ଖାସ ସମର୍ଥକଙ୍କ ଏଥିରେ ହାତ ରହିଥିବା ଆଲୋଚନା ହେଉଛି । ରାଜନୈତିକ ଛତ୍ରଛାୟା ତଳେ ରହି ବାଲି ମାଫିଆମାନେ ଆଇନ ଆଖିରେ ଧୂଳି ଦେଇ ବାଲି ଉଠାଇବା ସହିତ ଦରକାର ହେଲେ ହାତଗୁଞ୍ଜା ଦେଇ କାରବାର କରୁଛନ୍ତି । କୌଣସି ବୈଧ ବାଲିଖଣି ନ ଥାଇ ମହୁଲପାଲି, ସାଲେଭଟା ଓ ମୁରସୁଣ୍ଡରୁ ପ୍ରତିଦିନ ବେଆଇନ ଭାବେ ଶତାଧିକ ଟ୍ରିପ ବାଲି ଚାଲାଣ ହେଉଛି । ବାଲିଘାଟ ଚୁକ୍ତିନାମା ଅବଧି ଗତ ନଭେମ୍ବର ମାସରୁ ସରି ଯାଇଥିଲେ ମଧ୍ୟ ବାଲି ମାଫିଆମାନେ ବେଆଇନ ଭାବେ ବାଲି ଉଠାଣ କରୁଛନ୍ତି । ବଲାଙ୍ଗିର ଜିଲ୍ଲାପାଳ ଏବଂ ଏସପି ଏଥିପ୍ରତି ସ୍ଵତନ୍ତ୍ର ଭାବେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।

Leave A Reply

Your email address will not be published.