ବଲାଙ୍ଗିର ପବ୍ଲିକ୍ ସ୍କୁଲର ୪୧ତମ ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲର ୪୧ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ସଂସଦୀୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନ ଯାପନ ଏଆଇ ଶିକ୍ଷା ତଥା ସରକାରଙ୍କ ନୂତନ ଶିକ୍ଷାନୀତି ଉପରେ ଗୁରୁତ୍ୱାରୋପ କରିଥିଲେ । ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ସଭାପତିତ୍ୱ କରି ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସ୍କୁଲର ଅଧ୍ୟକ୍ଷ ସତିଶ କୁମାର ପଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପରିଚାଳନା କମିଟିର ସଂପାଦକ ଗୋପାଳ କୃଷ୍ଣ ସିଂହଦେଓ, କୋଷାଧ୍ୟକ୍ଷ ଆଲୋକ ରଂଜନ ବେଦବାକ, ସଭ୍ୟ ବାଦଲ ମହାକୁର, ଶିରିଶ ଚନ୍ଦ୍ର ହୋତା ମଞ୍ଚାସୀନ ଥିଲେ । ବରିଷ୍ଠ ଶିକ୍ଷକ ହରେକୃଷ୍ଣ ନାୟକ ଓ ରିକି ପୁରୋହିତ ସଭା ସଂଯୋଜନା କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଯେଉଁମାନେ ୨୦୨୫ ବର୍ଷର ଓଏଏସ୍‌ ଅଟଳ ଦାସ ଓ ଶିବମ ସ୍ୱରୂପ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଜାତୀୟ ସ୍ତରର ବଂଶୀ ବାଦକ ସତମନ୍ୟୁ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଶିକ୍ଷାବର୍ଷ ୨୦୨୫ ପାଇଁ ବିଦ୍ୟାଳୟର ଛାତ୍ରୀ ମୁକ୍ତାରାଣୀ ସାହୁଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବରେ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା ଶେଷରେ ଉପାଧ୍ୟକ୍ଷ ଦୀପକ ବରାଲ୍ ଧନ୍ୟବାଦ ଅର୍ପଣ କରିଥିଲେ ଓ ପରେ ପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସଫଳ ଭାବରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.