ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜଧାନୀ ଭୁବନେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ବ୍ରାଇଟ ଓଡିଶା ଫାଉଣ୍ଡେସନ ତରଫରୁ ଚଳିତ ବର୍ଷ ପାଇଁ ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ କ୍ଷେତ୍ରରେ ଚର୍ଚ୍ଚିତ ରହିଥିବା, ତଥା ନିଜ କର୍ମଦକ୍ଷତାକୁ ପରିପ୍ରକାଶ କରିଆସୁଥିବା ୪୨ଜଣଙ୍କୁ ଯୁବରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ଗଣମାଧ୍ୟମ, ସ୍ୱାସ୍ଥ୍ୟକ୍ଷେତ୍ର, ମନୋରଞ୍ଜନ ଦୁନିଆ, ସାମାଜିକ ସେବା, କ୍ରୀଡ଼ାବିତ ତଥା ବ୍ୟବସାୟ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ଲାଭ କରିଥିବା ବିଶିଷ୍ଠ ଯୁବ ବର୍ଗର ଲୋକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଯୁବଶକ୍ତି, ସୃଜନଶୀଳତା ଓ ସାମାଜିକ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବ୍ରାଇଟ୍ ଓଡ଼ିଶା ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ହୋଇଛି । ପ୍ରଥମ ‘ଓଡ଼ିଶା ଯୁବରତ୍ନ ସମ୍ମାନ–୨୦୨୬’ । ଏହି ଅବସରରେ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ସରକାରଙ୍କ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ବିକାଶରେ ଯୁବ ପ୍ରତିଭାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ରବି ନାରାୟଣ ନାୟକ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନ, କଲ୍ୟାଣ ଫାଉଣ୍ଡେସନର ସଭାପତି ସୌମିତ୍ର ଲେଙ୍କା ଉପସ୍ଥିତ ଥିଲେ । ଗଣମାଧ୍ୟମ କ୍ଷେତ୍ରରେ ଏକ ବୈପ୍ଲବିକ ଚିନ୍ତାଧାରା ଆଣିଥିବା ତନୟା ପଟ୍ଟନାୟକ (ସମ୍ପାଦକ, ସମ୍ବାଦ ଓ କନକ ନ୍ୟୁଜ୍), ମାନସ ରଞ୍ଜନ ଦାଶ (ଆସୋସିଏଟ୍ ଏଡିଟର, ନ୍ୟୁଜ୍–୧୮ ଓଡ଼ିଆ) ଓ ଆର୍ଜେ ନିଏଲ୍ (ସିନିଅର ରେଡିଓ ଜକି, ରେଡ୍ ଏଫଏମ୍)ଙ୍କୁ ସମ୍ମାନିତ କରାଯାଇଛି । ସେହିପରି ପଡକାଷ୍ଟ ଓ ସୃଜନାତ୍ମକ କ୍ଷେତ୍ରରୁ ବନସ୍ମିତା ପତି, ସାହିତ୍ୟ କ୍ଷେତ୍ରରୁ ଦେବାଶିଷ ସାମନ୍ତରାୟଙ୍କୁ ସମ୍ମାନିତ କରାଯାଇଛି । କ୍ରୀଡ଼ା କ୍ଷେତ୍ରରୁ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ପଦ୍ମଶ୍ରୀ ପ୍ରମୋଦ ଭଗତ, ପୂର୍ବତନ ରଣଜୀ କ୍ରିକେଟର ଜିତୁ ଶତପଥି ଓ ପାରାଅଲମ୍ପିକ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଟ୍ରେଜରର ସୁନିଲ ପ୍ରଧାନଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି । ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ କ୍ଷେତ୍ରରୁ ଶୀତଳ ପାତ୍ର, ବିଭୁଦତ୍ତ ଦିକ୍ଷିତ୍, ତ୍ରିଭୁବନ ପଣ୍ଡା, ସୁଭାଶିଷ ଶର୍ମା, ଥିଏଟର ନିର୍ଦ୍ଦେଶକ ନଳିନୀ ନିହାର ନାୟକ ଓ ଉଦୟମାନ ଅଭିନେତ୍ରୀ ପ୍ରିୟଙ୍କା ସାହୁ ସମ୍ମାନିତ ହୋଇଛନ୍ତି । ସଙ୍ଗୀତ କ୍ଷେତ୍ରରୁ ପ୍ଲେବ୍ୟାକ୍ ସିଙ୍ଗର ଅନ୍ତରା ଚକ୍ରବର୍ତ୍ତୀ ଓ ଅପେରା ସୁପରଷ୍ଟାର ପିୟୁଷ ତ୍ରିପାଠୀ ପୁରସ୍କୃତ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ସମାଜସେବା କ୍ଷେତ୍ରରୁ ଡ. ଜ୍ୟୋତି ରଞ୍ଜନ ନାୟକ, ଡ. ସନ୍ଦୀପ ଦାସ, ଡ. ସଞ୍ଜୟ ମିଶ୍ର, ରଶ୍ମି ରଞ୍ଜନ ପ୍ରଧାନ, ବିଗତ କରୋନା ମହାମାରୀ ସମୟରେ ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲେ ନରସିଂହ ସିଂ । ଟିଟିଲାଗଡ଼ରେ ଅନେକ ଶବକୁ ନିଜେ କାନ୍ଧରେ ବୋହି ସ୍ୱର୍ଗଦ୍ୱାରରେ ଦାହ ସତ୍କାର କରିବା ସହିତ ସହର ସାରା ଲୋକଙ୍କୁ ସଚେତନ କରିବା ନେଇ ଚର୍ଚ୍ଚାକୁ ଆସିଥିଲେ ନରସିଂହ ସିଂ । ପରବର୍ତ୍ତୀ ସମୟରେ ସମାଜସେବା କ୍ଷେତ୍ରରେ ନିଜକୁ ସମର୍ପିତ କରିବା ସହିତ ଓଲିଉଡ଼ ଷ୍ଟାର ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ସହିତ ଅନ୍ତିମ ମୁହୂର୍ତ୍ତରେ ସାଙ୍ଗରେ ରହି କଟକରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ପାର୍ଥିବ ଶରୀର ଆଣିବାରେ ସେ ଥିଲେ ଜଣେ ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ । ତାଙ୍କୁ ଏହି ଯୁବରତ୍ନ ସମ୍ମାନରେ ସମ୍ମାନିତ କରିଛି ବ୍ରାଇଟ ଫାଉଣ୍ଡେସନ । ଅନ୍ୟମାନଙ୍କ ମଧ୍ୟରେ ନରୋତ୍ତମ ଦାସ, ବିଶ୍ୱ ରଞ୍ଜନ ସାହୁ, ଦେବାଶିଷ ନାୟକ, ପାର୍ଥ ସାରଥୀ ମହାକୁଳ, ରାଧାମୋହନ ମହାପାତ୍ର, ଦୀପକ କୁମାର ମହାନ୍ତି, ପୁଣ୍ୟଶ୍ଲୋକା ମହାନ୍ତି, ନକୁଳ ସୁବୁଦ୍ଧି ପୁରସ୍କୃତ ହୋଇଛନ୍ତି । ସେହିପରି ବ୍ୟବସାୟ, ଫିନ୍ଟେକ୍, ସାଇବର ସୁରକ୍ଷା ଓ ଉଦ୍ୟମତା କ୍ଷେତ୍ରରୁ ଅନୁରାଗ ସାହୁ, ରୋହିତ ଶ୍ରାବାସ୍ତବ, ରମଣଜୀତ ମହାନ୍ତି, ସରୋଜ କୁମାର ନାୟକ, ଗଣେଶ ପ୍ରସାଦ ବିସ୍ୱାଳ, ନିରୁପମା ବିସ୍ୱାଳ, ଆଦିତ୍ୟ ପ୍ରସାଦ ଦାସ, ଅଭିଶେକ୍ ମିତ୍ର, ଆଶୀଷ୍ କୁମାର ମିଶ୍ର, ପୁଷ୍ପକଳିକା କର, ରାକେଶ ପଟ୍ଟନାୟକ, ଦୀପକ କୁମାର ନାଥ, ମେଟ୍ରୋ ଗ୍ରୁପର ନିର୍ଦ୍ଦେଶକ ମହମ୍ମଦ ଆଲିମ, ଡି. ନିରଞ୍ଜନ ରେଡ୍ଡି ଓ ସମାଜସେବୀ ଯଜ୍ଞାଶିଷ ମହାପାତ୍ର ଓ ମଧ୍ୟ ସମ୍ମାନିତ କରାଯାଇଛି । ଓଡ଼ିଶାର ଯୁବ ପ୍ରତିଭା, ନେତୃତ୍ୱ ଓ ସାମାଜିକ ଦାୟିତ୍ୱର ପ୍ରତୀକ ଭାବେ ‘ଓଡ଼ିଶା ଯୁବ ରତ୍ନ ସମ୍ମାନ–୨୦୨୬’ ଆଗାମୀ ଦିନରେ ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା ହେବ ବୋଲି ଆୟୋଜକ ତଥା ବ୍ରାଇଟ ଓଡ଼ିଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଞ୍ଜୟ କୁମାର ମହାକୁଡ଼, ଆଡ଼ଭାଇଜର ରୋଜାଲିନ ପାଟ୍ଟଶଣୀ, ସଞ୍ଜୟ ନାୟକ (ଟୁଟୁ), ସୁଜିତ ରାଉତ, ଅଧ୍ୟକ୍ଷ ଓଡିଶା ଯୁବ ରତ୍ନ ସମ୍ମାନ, ସନ୍ତୋଷ ପ୍ରଧାନ, ପ୍ରତିଷ୍ଠାତା, ଓଡିଶା ଯୁବ ମହୋତ୍ସବ ପ୍ରମୁଖ ଆଶା ପ୍ରକାଶ କରିଛନ୍ତି ।