ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ପୂର୍ବତନ ସରପଞ୍ଚ ଖଗେଶ୍ୱର ପଧାନଙ୍କ ଅକାଳ ପରଲୋକ ଘଟିଥିବା ଖବର ମିଳିଛି । ଏହି ଦୁଃଖଦ ଘଟଣା ଅଞ୍ଚଳବାସୀଙ୍କୁ ଗଭୀର ଶୋକରେ ନିମଗ୍ନ କରିଛି । ଦୁଇ ଦିନ ପୂର୍ବେ ସେ ନିଜ ପରିବାର ସହ କଳାହାଣ୍ଡି ଜିଲ୍ଲାର ଅତିଗାଁ ସ୍ଥିତ ଶ୍ଵଶୁର ଘରକୁ ଯାଇଥିଲେ । ଗୁରୁବାର ରାତିରେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ ଭବାନୀପାଟଣା ଓ ପରେ ବୁର୍ଲା ଭିମସାର ମେଡିକାଲ ମହାବିଦ୍ୟାଳୟକୁ ଉତ୍ତମ ଚିକିତ୍ସା ପାଇଁ ନିଆଯାଇଥିଲା । କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ପାର୍ଥିବ ଦେହ ନିଜ ଗ୍ରାମକୁ ଆଣାଯାଇଥିଲା । ଶୋକାକୁଳ ପରିବେଶ ଓ ଅଶ୍ରୁଳ ନୟନ ମଧ୍ୟରେ ଗ୍ରାମ୍ୟ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିଷ ପିଇବାର କାରଣ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ, ଏହାକୁ ନେଇ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଗଭୀର ଆଲୋଚନା ଚାଲିଛି । ପୂର୍ବତନ ସରପଞ୍ଚ ଭାବେ ତାଙ୍କର ସେବା ଓ ଅବଦାନକୁ ଅଞ୍ଚଳବାସୀ ସ୍ମରଣ କରୁଛନ୍ତି ।