ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ସୁଭାଷ ପରବ ପାଳିତ

  • ତ୍ରୈମାସିକ ସୁଭାଷ ଚିନ୍ତନ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାନ ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥଳିରେ ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ନେତାଜୀ ଜୟନ୍ତୀ ଏବଂ ଅନୁଷ୍ଠାନର ୩୪ତମ ପ୍ରତିଷ୍ଠା ଦିବସ ସୁଭାଷ ପରବ ସମାରୋହରେ ପାଳିତ ହୋଇଯାଇଛି । ସ୍ୱାମୀ ପରମାନନ୍ଦ ସରସ୍ୱତୀ ସମ୍ମାନିତ ବକ୍ତା ଏବଂ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନେତାଜୀଙ୍କ ବହୁମୁଖି ପ୍ରତିଭା ଏବଂ ଦେଶ ପ୍ରେମର ଗୁଣଗାନ କରିଥିଲେ । ପରିଷଦର ଆବାହକ ବିରେନ୍ଦ୍ର କୁମାର ବନଛୋର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାମାଜିକ କର୍ମୀ ଅଶୋକ ମିଶ୍ର ନେତାଜୀଙ୍କ ପ୍ରତି ହୋଇଥିବା ଐତିହାସିକ ପ୍ରତାରଣା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ନେତାଜୀ ସଂଗ୍ରାମୀ ପରିଷଦର ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପୂର୍ବରୁ ଅତିଥି ସମୁହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ପରିଷଦର ତ୍ରୈମାସିକ ମୁଖପତ୍ର ସୁଭାଷଚିନ୍ତନର ଚତୁର୍ଥ ବର୍ଷ ପ୍ରଥମ ସଂଖ୍ୟାକୁ ଅତିଥି ଏବଂ ଶ୍ରୋତା ସମୂହ ଉନ୍ମୋଚିତ କରିଥିଲେ । ପରିଷଦର ପ୍ରାକ୍ତନ ସଦସ୍ୟ ସ୍ୱର୍ଗତ ସଂଜୟ ଶେଖର ଭୋଇଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବଲାଙ୍ଗିର ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ତଥା ବ୍ୟକ୍ତିବିଶେଷ ଯୋଗଦେଇ ସୁଭାଷ ପରବ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଅଧ୍ୟାପକ କବିରାଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.