ବଲାଙ୍ଗିର ଲୋକ ଉତ୍ସବ ୨୦୨୬ରେ ଆଇନ ସେବା ପ୍ରାଧିକରଣ ଷ୍ଟଲ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲୋକ ଉତ୍ସବ ଅବସରରେ କୋଶଳ କଳା ମଣ୍ଡପ ପରିସରରେ ଆଇନସେବା ପ୍ରାଧିକରଣ ବଲାଙ୍ଗିର ତରଫରୁ ୨ନଂ. ଷ୍ଟଲ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଷ୍ଟଲର ଉଦ୍‌ଘାଟନ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍‌ ଭାରପ୍ରାପ୍ତ ମଳୟ କୁମାର ଦାଶଙ୍କ କର କମଳରେ ହୋଇଥିଲା । ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଜିଲ୍ଲା ବାର ସଭାପତି ବାସୁଦେବ ରଥ ମୁଖ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ସହିତ ଅନ୍ୟତନ ଅତିଥି ଭାବେ ସିଭିଲ କୋର୍ଟର ରେଜିଷ୍ଟାର ଶ୍ରୀ ଦୀପ, ଫେମିଲି ଜଜ୍‌ ପ୍ରମୁଖ ଉପସ୍ଥିତ ଥିଲେ । ଲୋକ ମହୋତ୍ସବରେ ଆଗତ ସାଧାରଣ ଲୋକଙ୍କୁ ନିଶୁଳ୍କ ଆଇନ ସଚେତନତା, ମହିଳା, ଶ୍ରମିକ, ବୃଦ୍ଧ, ଶିଶୁ ଓ ଅନ୍ୟାନ୍ୟ ଅସହାୟ ବର୍ଗଙ୍କ ଆଇନଗତ ସୂଚନା ପ୍ରଦାନ କରିବା ଏହି ଷ୍ଟଲର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପବିତ୍ରାନନ୍ଦ ପ୍ରଧାନ, ଜିଲ୍ଲା ବାର ସେକ୍ରେଟେରୀଙ୍କ ତତ୍ୱାବଧାନରେ ପ୍ରାଧିକରଣର ପାରା ଲିଗାଲ ସ୍ୱେଚ୍ଛାସେବୀ ଜୟକୃଷ୍ଣ ମିଶ୍ର, ସାମସନ ମିସାଲ, ବିଦ୍ୟୁତଲତା ଖମାରୀ, ଶ୍ରୀୟାକାନ୍ତ ନାଏକ ସକ୍ରିୟ ଭାବେ ସହଯୋଗ କରିଥିଲେ । ଲୋକଉତ୍ସବ ଭଳି ଜନସମାଗମ ଥିବା କାର୍ଯ୍ୟକ୍ରମରେ ଆଇନସେବା ପ୍ରାଧିକରଣର ଏହି ପଦକ୍ଷେପକୁ ସାଧାରଣ ଲୋକ ଉଚ୍ଚ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.