
ବଲାଙ୍ଗିର, (କେପିଏନ୍ଏସ୍) : କୁଷ୍ଠ ରୋଗର ନିରାକରଣ ଅଭିଯାନ, ଏହି ପାକ୍ଷିକ ଅଭିଯାନ (୩୦ ଜାନୁଆରୀରୁ ୧୩ ଫେବୃଆରୀ) ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୁଷ୍ଠ ରୋଗ ପ୍ରତି ଭେଦଭାବ ଏବଂ ପ୍ରାରମ୍ଭିକ ରୋଗୀ ସଂଖ୍ୟା ହ୍ରାସ କରିବା ପାଇଁ ସାମୁଦାୟିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା । କୁଷ୍ଠ ରୋଗ ବିରୋଧୀ ଦିବସ ଅର୍ଥାତ୍ ୩୦ ଜାନୁଆରୀରୁ ଆରମ୍ଭ ହେବ । ଏହି ଅଭିଯାନ ସମ୍ପର୍କିତ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା, ଅନ୍ୟତମ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ପରିବାର କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ମଞ୍ଚାସୀନ ଥିଲେ । ଏହି ବର୍ଷ “ଭେଦଭାବର ଅନ୍ତ, ମର୍ଯ୍ୟାଦା ସୁନିଶ୍ଚିତ କରିବା” ବିଷୟକୁ ସ୍ଲୋଗାନ ଏବଂ ବ୍ୟାନର ସହିତ ବାର୍ତ୍ତା ରହିବ । ୩୦ ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାମସଭାରେ ଗ୍ରାମସଭା ପ୍ରମୁଖ ଏବଂ ଅନ୍ୟାନ୍ୟ ସଦସ୍ୟମାନେ କୁଷ୍ଠ ରୋଗ ଉପରେ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନଗୁଡ଼ିକ ଆଶା ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହ ଆଲୋଚନା କରିବେ । ଆଶା ମାସ୍କଟ୍ ଗାର୍ଲ ‘ସପନା’ ସହିତ ଗାଁରେ ସଚେତନତା ବାର୍ତ୍ତା ପ୍ରଚାର କରିବ । ଏହି ସଚେତନତା ଉଦ୍ଦେଶ୍ୟରେ ଲିଫଲେଟ୍ ବଣ୍ଟନ ଏବଂ କୁଷ୍ଠ ରୋଗର ସନ୍ଦେହଜନକ ମାମଲା ଗୁଡିକ ଚିହ୍ନଟ ପ୍ରକ୍ରିୟା ଅନୁଷ୍ଠିତ ହେବ । କୁଷ୍ଠ ରୋଗରେ ପୀଡିତ ବ୍ୟକ୍ତିଙ୍କ ପ୍ରତି ଭେଦଭାବ ହ୍ରାସ ପାଇଁ ଗ୍ରାମସଭା ପ୍ରମୁଖଙ୍କ ପକ୍ଷରୁ ସଦସ୍ୟମାନଙ୍କୁ ନିବେଦନ କରାଯିବ । ସେହିପରି, ୩୦ ଜାନୁଆରୀରେ ବିଦ୍ୟାଳୟରେ ପ୍ରାର୍ଥନା ସମୟରେ କିମ୍ବା ଏକ ବୈଠକରେ ଏହି ରୋଗ ଉପରେ ଆଲୋଚନା ହେବ । ୩୦ଜାନୁଆରୀରେ ସମସ୍ତ ଗ୍ରାମସଭା ଏବଂ ଗ୍ରାମରେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନର ନୋଡାଲ ବ୍ୟକ୍ତି ଭାବେ ବ୍ଲକ ପିଏଚସି ଏମ୍ଓ ରହିବେ । ଆଜିର ଏହି କାର୍ଯ୍ୟକ୍ରମରେ ଏଡିଏଚଓ ଡାଃ. ସୁଧା ବାର୍ଲା, ଏଡିଇଓ ଜୟଶ୍ରୀ ମହାରଣା, ଡିଏମଆରସିଏଚ ଭଗବାନ ମେହେର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଷୁମା ମହାପାତ୍ର, ମନୋଜ କୁମାର ପ୍ରଧାନ, ବଳରାମ ମହତୋ ପ୍ରମୁଖ ଉପସ୍ଥିତ ଥିଲେ ।