ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟରେ ଗଞ୍ଜାମ ଜିଲ୍ଲାପାଳ ଏବଂ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅବଂ ଆରକ୍ଷୀ ଅଧୀକ୍ଷକ (ଗଞ୍ଜାମ)ଙ୍କ ଯୁଗ୍ମ ଶୁଣାଣୀ ଶିବିର ଖଲ୍ଲିକୋଟ ବ୍ଲକ୍ ସଦର ମହକୁମା ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଉପ- ଜିଲ୍ଲାପାଳ ଶିବାଶିଷ ବରାଳ ପ୍ରମୁଖ ଯୋଗଦେଇ ମୋଟ ୩୧୩ଟି ଅଭିଯୋଗର ଶୁଣାଣୀ କରିଥିଲେ । ତା’ ମଧ୍ୟରୁ ୨୯୭ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୩ଟି ସାମୁହିକ ଅଭିଯୋଗ ଅଟେ । ୮ଟି ଅଭିଯୋଗର ସମାଧାନ ଶିବିରରେ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗର ତ୍ୱରିତ୍ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରେଡକ୍ରସ୍ ପାଣ୍ଠିରୁ ୩ ଜଣ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ୩ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚକଲଗା ଚୌକି ଏବଂ ୨ ଜଣଙ୍କୁ ଟ୍ରାଇ ସାଇକେଲଙ୍କୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ପ୍ରଦାନ କରିଥିଲେ । ସ୍ଥାନୀୟ ଜନସାଧାରଣ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ଭତ୍ତା, ଖାଦ୍ୟ ସୁରକ୍ଷା ଓ ଧାନ କ୍ରୟ, ମନରେଗା, ଗୃହ ନିର୍ମାଣ, ଜୀବିକା ମିଶନ୍, ରାଜସ୍ୱ, ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଏହି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
Prev Post