ରାଉରକେଲା, (ସସ୍ମିତା ପ୍ରଧାନ) : ୧୯୯୦ ମସିହାରୁ ସ୍ଥାପିତ ହୋଇ ଦୀର୍ଘ ୩୫ ବର୍ଷ ଧରି ରାଉରକେଲା ସହରର ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିବା ଦି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ୍, ରାଉରକେଲା ପକ୍ଷରୁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବାର୍ଷିକ ବିବରଣୀ ପ୍ରଦାନ କରାଯାଇଛି । ବିଗତ ୨୦୨୧-୨୨ ଏବଂ ୨୦୨୨-୨୩ ବର୍ଷରେ କ୍ଷତି ସହି ଆସିଥିବା ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ୍ ୨୦୨୪-୨୫ ବର୍ଷରେ ୨୬୩.୯୩ ଲକ୍ଷ ଟଙ୍କା ଲାଭ କରିଥିବା ତାହାର ବାର୍ଷିକ ବିବରଣୀରେ ପ୍ରକାଶ କରାଯାଇଛି । ଏଥିସହିତ ୨୦୨୪-୨୫ ଆର୍ଥିକ ବର୍ଷରେ ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ସଦସ୍ୟମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୧,୨୯୮ରେ ପହଞ୍ଚିଥିବା ବାର୍ଷିକ ବିବରଣୀରେ ପ୍ରକାଶ କରାଯାଇଛି । ସେହିପରି ୨୦୨୩-୨୪ ଗ୍ରସ୍ ଏନପିଏ ୧୮.୪୩ ପ୍ରତିଶତ ଥିଲାବେଳେ ତାହା ୨୦୨୪-୨୫ ବର୍ଷରେ ହ୍ରାସ ପାଇ ୧୩.୮୬ ପ୍ରତିଶତରେ ପହଞ୍ଚିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ନେଟ୍ ଏନପିଏ ୨.୦୧ ଥିଲାବେଳେ ତାହା ହ୍ରାସ ପାଇ ୧.୪୮ ପ୍ରତିଶତରେ ପହଞ୍ଚିଛି । ଦି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ୍, ରାଉରକେଲା ପକ୍ଷରୁ ସଭାପତି ଦିଲ୍ଲୀପ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ବିବରଣୀ ସାମ୍ବାଦିକ ସମ୍ମିଳନୀରେ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଡିଜିଟାଲ ସେବା ଉପଲବ୍ଧ କରାଇବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସଭାପତି ଦିଲ୍ଲୀପ ମହାପାତ୍ର କହିଥିଲେ ଯେ, ଡିଜିଟାଲ ସେବା ଯୋଗାଇଦେବା ପାଇଁ ସରକାରଙ୍କ ଅନୁମତି ପରେ ଗୋଟିଏ ଘରୋଇ ସଂସ୍ଥାକୁ ଏହି କାର୍ଯ୍ୟ ପ୍ରଦାନ କରାଯାଇଛି ଏବଂ ତାହା ଶିଘ୍ର ଉପଲବ୍ଧ ହେବ ବୋଲି ସୂଚନା ଦେଇଥିଲେ । ସେହିପରି ବ୍ୟାଙ୍କରୁ ଋଣ ନେଇ ପୈଠ କରି ନପାରି ଋଣ ଖିଲାପକାରୀଙ୍କ ସଂଖ୍ୟା ୨୦ ହୋଇଥିବା ବେଳେ ଉମେଶ କୁମାର ତିୱାରୀ ଏଥିରେ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି ଏବଂ ତାଙ୍କ ବିରୁଦ୍ଧରେ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି ବୋଲି ବ୍ୟାଙ୍କ୍ ସଭାପତି ଶ୍ରୀ ମହାପାତ୍ର ଉତ୍ତର ଦେଇଥିଲେ । ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ୍ ପକ୍ଷରୁ ଆଜିର ବାର୍ଷିକ ବିବରଣୀ ଉପସ୍ଥାପନ ସାମ୍ବାଦିକ ସମ୍ମିଳନୀରେ ସଭାପତି ଦିଲ୍ଲୀପ କୁମାର ମହାପାତ୍ରଙ୍କ ସମେତ ଉପସଭାପତି ସ୍ମିତା ନାୟକ, ନିର୍ଦ୍ଦେଶକ କୃଷ୍ଣ ପଟ୍ଟନାୟକ, ରବିନ୍ଦ୍ର ନାଥ ପଣ୍ଡା, ସମର ପ୍ରିୟ ତନ୍ତୀ, ବିଜୟ କୁମାର ପ୍ରଧାନ, ଶଙ୍କର ଜେନା, ଅକ୍ଷୟ କୁମାର ରାଉତ, ଚୌଧୁରୀ ବିଜୟ କୁମାର ପଟ୍ଟନାୟକ, ସକ୍ତେଶ୍ୱର ପାତ୍ର, ଅନନ୍ତ କୁମାର ଜେନା, ସନ୍ଧ୍ୟାରାଣୀ ରାଉତ, ପୂର୍ଣ୍ଣିମା କେର୍କେଟା, ରବିନ୍ଦ୍ର କୁମାର ପ୍ରଧାନ, ସୁଜିତ ଦାସ, ରବିନ୍ଦ୍ର କୁମାର ମିଶ୍ର, ଚାଟାର୍ଡ ଏକାଉଣ୍ଟାଣ୍ଟ ରାଜେଶ ପଟ୍ଟନାୟକ ଏବଂ ସାନ୍ତନୁ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Next Post