ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଆଲୋକ ସାସମଲ ‘ଚେଞ୍ଜମେକର୍ ଆୱାର୍ଡ଼’ରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପରିବେଶ ସଂରକ୍ଷଣ, ବୃକ୍ଷରୋପଣ ଓ ଦୀର୍ଘସ୍ଥାୟୀ ଜୀବନଶୈଳୀ ଉପରେ ସଚେତନତା ସୃଷ୍ଟିକରି ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଫୁଲଟା ଗାଁ ର ଆଲୋକ ସାସମଲ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଚେଞ୍ଜମେକର୍ ଆୱାର୍ଡ଼’ରେ ସମ୍ମାନିତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ’ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଝାଡ଼ଖଣ୍ଡର ରାଜ୍ୟର ଜାମସେଦପୁର ଠାରେ ଆୟୋଜିତ ଯୁବ ସମାରୋହ “ଧ୍ଵନି” ରେ ଶ୍ରୀ ସାସମଲ ଉଚ୍ଚ ପ୍ରଶଂସିତ ହୋଇ ପୁରସ୍କୃତ ଏବଂ ସମ୍ମାନିତ ହୋଇଛନ୍ତି । ଚଳିତମାସ ୧୧ ରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଦିନ ବ୍ୟାପୀ ଚାଲିଥିବା ‘ଧ୍ଵନି’ ସମାରୋହରେ ତାଙ୍କୁ ଦିଆଯାଇଛି ଏହି ପୁରସ୍କାର ବୋଲି କୁହାଯାଏ । ଆଞ୍ଚଳିକ ସ୍ତରରେ ଥିବା ବିକାଶ ମୂଳକ ଆହ୍ୱାନର ସାମନା କରିବା ତଥା ଶିକ୍ଷା, ସ୍ଵାସ୍ଥ୍ୟ, ଦକ୍ଷତା ଓ ନୂତନ ସୁଯୋଗ ସୃଷ୍ଟି କ୍ଷେତ୍ରରେ ଯୁବକଯୁବତୀମାନଙ୍କ ଭୂମିକାକୁ ଆହୁରି ସୁଦୃଢ଼ କରିବା ସହ ଏଥିପାଇଁ ସେମାନଙ୍କୁ ସଶକ୍ତ କରିବା ହେଉଛି “ଧ୍ଵନି” ସମାରୋହର ଲକ୍ଷ୍ୟ । ୨୦୧୭ ମସିହାରୁ ଆରମ୍ଭ କରାଯାଇଥିବା ଏହି ଅନନ୍ୟ କାର୍ଯ୍ୟକ୍ରମରେ ଏ ଯାବତ୍ ୧୫୦୦ରୁ ଅଧିକ ଯୁବକଯୁବତୀ ସାମିଲ ହୋଇ ସାମାଜିକ ପରିବର୍ତ୍ତନର ସୁତ୍ରଧର ସାଜି ପାରିଛନ୍ତି । ୧୯ ବର୍ଷୀୟ ଯୁବକ ଆଲୋକ ସୁସ୍ଥ ଜୀବନଶୈଳୀ ଉପରେ ସଚେତନତା ସୃଷ୍ଟି କରି ସୁସ୍ଥ ସମାଜ ଗଠନ ପାଇଁ ତୃଣମୂଳ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି । ପରିବାରର ଆର୍ଥିକ ଅବସ୍ଥା ଏତେଟା ସ୍ୱଚ୍ଛଳ ନଥିଲେ ବି, ସମାଜ ପାଇଁ କିଛି କରିବା ଲକ୍ଷ୍ୟରେ ନିଜର ଦୃଢ଼ମନ ନେଇ ଆଗେଇ ଚାଲିଛନ୍ତି । ଯୁକ୍ତ ଦୁଇ ପଢୁଥିବା ଏହି ଯୁବକ ସ୍ଥାନୀୟ ପିଲାମାନଙ୍କୁ ଟ୍ୟୁସନ ପଢ଼ାଇବା ସହ କିଶୋରାବସ୍ଥାରେ ସନ୍ତୁଳିତ ଖାଦ୍ୟ ଗ୍ରହଣ ଓ ସୁସ୍ଥ ଅଭ୍ୟାସ ଆପଣାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରି ଆସୁଛନ୍ତି ଆଲୋକ । ୨୦୨୩ ମସିହାରେ ଟାଟା ଷ୍ଟିଲ ଫାଉଣ୍ଡେସନର “ରିସ୍ତା” ପ୍ରକଳ୍ପ ଅନ୍ତର୍ଗତ “ସାଥିୟା” ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ଯୋଗଦେବା ପରେ ଲିଙ୍ଗଗତ ସମାନତା, ବାଲ୍ୟ ବିବାହ ବିରୋଧ ଓ ଋତୁସ୍ରାବ ସ୍ୱଚ୍ଛତା ଆଦି ବିଷୟରେ ନିଜ ଅଞ୍ଚଳରେ ସଚେତନତାର ବାର୍ତ୍ତା ବାଣ୍ଟି ଉଦାହରଣ ପାଲଟିଛନ୍ତି । ଏହି ସବୁ କ୍ଷେତ୍ରରେ ନିଜର ନିରନ୍ତର ଉଦ୍ୟମ ପାଇଁ ସେ ଟାଟା ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟଙ୍କ ଠାରୁ ଗ୍ରହଣ କରିଛନ୍ତି “ଚେଞ୍ଜ୍ ମେକର” ଆୱାର୍ଡ଼ । ଚଳିତ ବର୍ଷର ଧ୍ଵନି ସମାରୋହରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ ଅନେକ ଯୁବକ ଯୁବତୀ ସାମିଲ ହୋଇଥିବା ବେଳେ ଓଡ଼ିଶାର ଗୋପାଳପୁର, କଳିଙ୍ଗନଗର, ମେରାମଣ୍ଡଳୀ, ସୁକିନ୍ଦା ଆଦି ଅଞ୍ଚଳରୁ ୧୪୦ରୁ ଅଧିକ ଯୁବକଯୁବତୀ ଅଂଶଗ୍ରହଣ କରିଥଲେ ବୋଲି ଜଣାଯାଇଛି ।

Leave A Reply

Your email address will not be published.