- ଶିଷ୍ଟାଚାର, ସମୟାନୁବର୍ତ୍ତିତା ଓ ଶୃଙ୍ଖଳାରେ ଜୋର
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ବାର୍ଷିକ ଉତ୍ସବ ଶିକ୍ଷା, ସଂସ୍କୃତି ଓ ଶୃଙ୍ଖଳାର ସୁନ୍ଦର ସମନ୍ୱୟ ଭାବେ ପାଳିତ ହୋଇଯାଇଛି । ଉତ୍ସବର ଅଧ୍ୟକ୍ଷତା କରି ବିଦ୍ୟାଳୟ ଅଧ୍ୟକ୍ଷ ବଳଭଦ୍ର ଦାଶ କହିଥିଲେ, “ହରିଶଙ୍କର ବିଦ୍ୟାଳୟ କେବଳ ପାଠପଢ଼ାରେ ନୁହେଁ, ଶୃଙ୍ଖଳା ଓ ନୈତିକ ମୂଲ୍ୟବୋଧରେ ମଧ୍ୟ ଅଞ୍ଚଳ ପାଇଁ ଆଦର୍ଶ ।” ସେ ଛାତ୍ରଛାତ୍ରୀଙ୍କୁ ନିୟମିତ ଅଧ୍ୟୟନ ସହ ସମୟାନୁବର୍ତ୍ତି ଓ ଶିଷ୍ଟାଚାରକୁ ଜୀବନର ଅଂଶ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ ମତ ପ୍ରକାଶ କରି କହିଥିଲେ, “ଶିକ୍ଷା ସହ ଶୃଙ୍ଖଳା ଥିଲେ ଯୁବପିଢ଼ି ନିଶ୍ଚିତ ଭାବେ ସଫଳତାରେ ପହଞ୍ଚିବେ ।” ସେ ଛାତ୍ରଛାତ୍ରୀଙ୍କୁ ନିଶା ଓ ଅପରାଧରୁ ଦୂରେଇ ରହି ଲକ୍ଷ୍ୟମୁଖୀ ଜୀବନ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଅରୁଣ କୁମାର ପଣ୍ଡା ଶିକ୍ଷାକୁ ଜୀବନ ପରିବର୍ତ୍ତନର ସର୍ବୋତ୍ତମ ମାଧ୍ୟମ ବୋଲି ଉଲ୍ଲେଖ କରିଥିଲେ । ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ କୁମାରୀ ରଶ୍ମି ବାଗ ଓ କୁମାରୀ ସଙ୍ଗୀତା ମହାନନ୍ଦ ତାଙ୍କ ସୁନ୍ଦର ମଞ୍ଚ ପରିଚାଳନା ଦ୍ୱାରା ସଭାସଦସ୍ୟଙ୍କ ପ୍ରଶଂସା ଅର୍ଜନ କରିଥିଲେ । ଏହି ଅବସରରେ ଚଳଚ୍ଚିତ୍ର ଅଭିନେତା ରତନ ମେହେର, ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ ଓ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ କର୍ମଚାରୀ ଜନାର୍ଦ୍ଦନ ସୁନା ସମ୍ମାନିତ ହୋଇଥିବାବେଳେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ପରିବେଷଣ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା ।