ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ପିଏମ୍ ଶ୍ରୀ ବାପୁଜୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ପିଏମ୍ ଶ୍ରୀ ଉତ୍ସବ ୧୦/୧/୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ରାମଗୋପାଳ ଖମାରୀ ଶର୍ମାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନିଜ ବକ୍ତବ୍ୟରେ ସେ ଏଇ ବିଦ୍ୟାଳୟରେ ଦୁଇ ବର୍ଷ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ପଢ଼ିଥିବା ଓ ସେ ଦିନର ସ୍ସ୍ମ୍ମୃତି ଓ ଅନୁଭୂତି ପିଲାଙ୍କୁ ବାଣ୍ଟିଥିଲେ । ନିଜ ଜୀବନରେ ବିଦ୍ୟାଳୟ ଓ ଶିକ୍ଷକଙ୍କ ପ୍ରଭାବକୁ ମନେ ପକାଇ ନିଜ ଶିକ୍ଷକମାନଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ସଇଁତଳା ବ୍ଲକ ଶିକ୍ଷାଧିକାରୀ ଦିଲୀପ ଯୋଷୀ, ସିଂହ ଯେମିତି ନିଜ ଶକ୍ତି ଓ ସାମର୍ଥ୍ୟ ଉପରେ ବିଶ୍ୱାସ ରଖି ଜଙ୍ଗଲର ରାଜା ହୋଇଥାଏ, ଠିକ୍ ସେମିତି ପିଲାମାନେ ନିଜ ମନରୁ ହୀନମନ୍ୟତା ଦୂର କରି “ମୁଁ ଏହା କରିପାରିବି” ଏଇ ଆତ୍ମବିଶ୍ୱାସ ପୋଷଣ କରିବା ଉଚିତ୍ ବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ । ବିଦ୍ୟାଳୟ ପରିଚାଳନା ସଭାପତି ଅରୁଣ ଥନାପତି, ଆଲୁମନି ସଭାପତି ଦେବରାଜ ମେହେର ନିଜ ବକ୍ତବ୍ୟରେ ଏଇ ଅନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହଯୋଗ କାମନା କରିଥିଲେ । ଏଇ ସଭାରେ ବିଦ୍ୟାଳୟ ପ୍ରତିଷ୍ଠାତା ସଭ୍ୟ ପୂର୍ଣ୍ଣାନନ୍ଦ ପଣ୍ଡା ମଞ୍ଚାସୀନ ଥିଲେ । କନ୍ଧକେଲ୍ ଗାଁ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିଶୁ ପ୍ରଧାନ ନିଜ ବକ୍ତବ୍ୟରେ ପିଲାଙ୍କୁ ସୁମଣିଷ ହେବା ପାଇଁ ଉତ୍ସାହିତ କରିବା ସହ ୨୧ ବର୍ଷ ପରେ ବିଦ୍ୟାଳୟକୁ ଆସିଥିବାରୁ ଅତ୍ୟନ୍ତ ଖୁସି ବୋଲି କହିଥିଲେ । ଅଧ୍ୟକ୍ଷ ପିଏମ୍ ଶ୍ରୀ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ । ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତିନୋଟି ପାଭିଲିୟନର ଶୁଭ ଉଦ୍ଘାଟନ କରିଥିଲେ । ଏହି ପାଭିଲିୟନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଓଡିଶା ୨୦୩୬, ଷ୍ଟୁଡେଣ୍ଟସ୍ ଗ୍ୟାଲେରୀ, ଦୋକାନ ଯାତ୍ରା ସମ୍ପର୍କରେ ପ୍ରୋଜେକ ପ୍ରସ୍ତୁତ କରିଥିଲେ । ପ୍ରଣୋକ ଷ୍ଟଲ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା ଯାହା ଅଭିଭାବକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଉଚ୍ଚ ପ୍ରଶସିଂତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଭିଲିୟନରେ ପ୍ରଦର୍ଶିତ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡାଙ୍ଗନରେ ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟ ମାନ ବୁଲି ଦେଖିଥିଲେ । ଛାତ୍ରଛାତ୍ରୀ ଅଭିଭାବକ ଓ ବିଦ୍ୟାଳୟର ପୁରାତନ ଛାତ୍ରମାନେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଆଜିର ଏଇ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ ଓ ଶିକ୍ଷକ ସୁରେନ୍ଦ୍ର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀଙ୍କ ସହଯୋଗରେ ପିଏମ୍ ଶ୍ରୀ ଉତ୍ସବ ସଫଳତାର ସହ ସମାପ୍ତ ହୋଇଥିଲା ।
Next Post