ଖପ୍ରାଖୋଲରେ ବିକାଶର ଝଙ୍କାର : ୯ ପ୍ରକଳ୍ପ ଉଦଘାଟନ, ୭ ପ୍ରକଳ୍ପର ଭିତ୍ତିପ୍ରସ୍ତର — ଟିକସ ନୀତିକୁ ନେଇ ପ୍ରଶ୍ନ ଉଠୁଛି
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଖପ୍ରାଖୋଲ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଗସ୍ତ କରି ୯ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ୭ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି । ଏହି ପଦକ୍ଷେପକୁ ଅଞ୍ଚଳବାସୀ ଏକ ସ୍ୱାଗତଯୋଗ୍ୟ ବିକାଶମୂଳକ ପ୍ରୟାସ ଭାବେ ଦେଖୁଛନ୍ତି । ସଡ଼କ, ପାନୀୟଜଳ, ଭିତ୍ତିଗତ ସଂରଚନା ଭଳି ଆବଶ୍ୟକୀୟ କ୍ଷେତ୍ରରେ ପ୍ରକଳ୍ପ ଆରମ୍ଭ ହେବା ଦ୍ୱାରା ଗ୍ରାମାଞ୍ଚଳର ଜୀବନମାନ ଉନ୍ନତ ହେବ ବୋଲି ଆଶା ପ୍ରକାଶ ପାଇଛି । ବିକାଶ କାମକୁ ନେଇ ସରକାରଙ୍କ ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସାର ଯୋଗ୍ୟ ବୋଲି ବୁଦ୍ଧିଜୀବୀ ମହଲ କହୁଛନ୍ତି । କିନ୍ତୁ ଏହି ବିକାଶ ଉଦ୍ୟମ ସହିତ ଯାନବାହନ ପ୍ରଦୂଷଣ ନାମରେ ଲୋକଙ୍କ ଉପରେ ଜବରଦସ୍ତି ଟିକସ ଆଦାୟ ନେଇ ଗଭୀର ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଛି । ଦରଦାମ ମହଙ୍ଗା ମଧ୍ୟରେ ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ଚାପ ସୃଷ୍ଟି କରୁଥିବା ଏପରି ଟିକସ ନୀତିକୁ ନେଇ “ଲୋକ ହସା” ଘଟୁଥିବା ଅଭିଯୋଗ ଉଠୁଛି । ବୁଦ୍ଧିଜୀବୀ ମହଲର ସଫା ମତ— ବିକାଶ ମାତ୍ର ଫିତା କାଟିବାରେ ସୀମିତ ରହିଲେ ଚାଲିବ ନାହିଁ । ଲୋକଙ୍କ ଜୀବନର ଦୈନନ୍ଦିନ ସମସ୍ୟା, ଆର୍ଥିକ ଚାପ ଓ ଆକ୍ରୋଶକୁ ଅନୁଭବ କରିନପାରିଲେ ସରକାରୀ ପ୍ରଚାର ମାତ୍ର ଭୋଟରେ ପରିଣତ ହେବ ନାହିଁ । ଆସନ୍ତା ନିର୍ବାଚନ ଆଗରେ ଦାଉ ଉପରେ ଅଛି ସରକାରର ଲୋକପ୍ରିୟତା । ବିକାଶର ମଞ୍ଚରେ ତାଲି, ଟିକସର ମଞ୍ଚରେ ଆକ୍ରୋଶ— ଏହି ଦୁଇ ମୁହାଁ ନୀତି ସହ ଆଗକୁ ବଢ଼ିଲେ ସରକାର ଲୋକଙ୍କୁ କେତେଦିନ ନିଜର କରିପାରିବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ, ବିକାଶ କାମ ମାତ୍ର ଯଥେଷ୍ଟ ନୁହେଁ; ଲୋକଙ୍କ ଦୈନନ୍ଦିନ ସମସ୍ୟା ଓ ଆର୍ଥିକ ଭାରକୁ ହ୍ରାସ କରିବା ଦିଗରେ ସରକାର ସମାନ ଗୁରୁତ୍ୱ ଦେବା ଆବଶ୍ୟକ । ସେଥିପାଇଁ ଲୋକପ୍ରିୟ ଓ ସମତୁଳିତ ନୀତି ଗଢ଼ିବା ହିଁ ମୁଖ୍ୟ ଆହ୍ୱାନ ବୋଲି ଚର୍ଚ୍ଚା ହେଉଛି ।