ଜାତୀୟ ଯୁବ ଦିବସ ଅବସରରେ ଛତ୍ରପୁର ୟୁଥ୍ ମାସ୍ ସେବା ସଂଘର ୧୬ ତମ ବାର୍ଷିକୀ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଯୁବ ଦିବସ ଅବସରରେ ଛତ୍ରପୁରର ଅଗ୍ରଣୀ ସଂଗଠନ ୟୁଥ୍ ମାସ୍ ସେବା ସଂଘର ଦୁଇ ଦିନିଆ ପର୍ବ ତଥା ସଂଗଠନର ୧୬ ତମ ବାର୍ଷିକୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପ୍ରଥମ ଦିବସର ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମ ସମାହିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇ ଯୁବ ଗୋଷ୍ଠୀଙ୍କୁ ନିଜର ମୂଲ୍ୟବାନ ସମୟକୁ କାର୍ଯ୍ୟରେ ଲଗାଇବା ଆବଶ୍ୟକ ବୋଲି କହି ଯୁବ ସଶକ୍ତିକରଣ ସମ୍ପର୍କରେ ଆଲୋକପାତ କରି ଯୁବକ ଯୁବତୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଦୀପକ ମୁଦୁଲି, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଅମୀୟ କୁମାର ଧଳ, ଶଙ୍କର ଚକ୍ଷୁ ଚିକିତ୍ସାଳୟର ମୁଖ୍ୟ ନିର୍ବାହୀ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣାଲ୍ ଡାକ୍ତର ଆଶିଷ କୁମାର ଝା, ରାଜା ଗୋପାଳ ଦାଶ, ଛତ୍ରପୁର ପୌର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଅତିଥି ଯୋଗଦେଇ ଜାତୀୟ ଯୁବ ଦିବସର ମହତ୍ତ୍ୱ ଓ ତାତ୍ପର୍ୟ୍ୟ ସମ୍ପର୍କରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ୟୁଥ୍ ମାସ୍ ସେବା ସଂଘର ସଂଗଠକ ସୟେଦ ମୁକ୍ତାର ସଂଯୋଜନା ଓ ପରିଚାଳନା କରିଥିଲେ । ସଂଗଠନର ଅଧ୍ୟକ୍ଷ ବନମାଳୀ ନେପାକ୍, ଆଇନ୍ ପରାମର୍ଶ ଦାତା ବି. ଶ୍ରୀନିବାସ, ଟ୍ରଷ୍ଟ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ରାଜେଶ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଦାୟିତ୍ଵ ନିର୍ବାହ କରିଥିଲେ । ଆନ୍ତର୍ଜାତିକ ସ୍ତରରେ ଖ୍ୟାତନାମା ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ଅଳକା ସାହୁ, ଆନ୍ତର୍ଜାତିକ ସ୍ତରରେ ଚିତ୍ରଶିଳ୍ପୀ ତଥା ବୁକ୍ ଅଫ୍ ଇଣ୍ଡିଆ (ଇଂରାଜୀ)ରେ ପୁରସ୍କୃତ ପ୍ରାପ୍ତ ଶୁଭାସ୍ମିତା ପଣ୍ଡା, ଲୋକନୃତ୍ୟ ନିର୍ଦ୍ଦେଶକ ତଥା ଗୁରୁ ରବି ନାରାୟଣ ଦାଶ (ଭଞ୍ଜନଗର), ବରିଷ୍ଠ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୀତା ରଥ, ରାଷ୍ଟ୍ରପତି ପୁରସ୍କୃତ ବରିଷ୍ଠ ପ୍ରଧାନ ଶିକ୍ଷକ ଅଜିତ୍ ସେଠୀ, ବରିଷ୍ଠ ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, କଳାକାର, ଶିଳ୍ପୀଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ, ପଦକ ସମ୍ମାନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଛତ୍ରପୁର ନୃତ୍ୟ ନିର୍ଦ୍ଦେଶକ ସଂଘ ପକ୍ଷରୁ ପରିଚାଳିତ ସମ୍ପାଦକ ତଥା ନୃତ୍ୟ ଗୁରୁ ଜୀବନ କୁମାର୍ ମହାରଣା ଏବଂ ଉପସଭାପତି ତଥା ଗୁରୁ ପ୍ରଶାନ୍ତ କୁମାର ପଟ୍ଟନାୟକ ଏହି ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମରେ ସମ୍ପାଦନା କରିଥିଲେ । ନୃତ୍ୟଗୁରୁ ପୂର୍ଣ୍ଣଞ୍ଜୟ ଜେନା, ଗୌତମ ନାୟକ, ଆର୍. ରବିନ୍ଦ୍ର ରେଡ୍ଡୀ, ଟି.ସୁରେଶ ରାଓ, ସୁମନ୍ ପଟ୍ଟନାୟକଙ୍କ ଦ୍ଵାରା ପରିଚାଳିତ ନୃତ୍ୟଗୋଷ୍ଠୀ ପରିବେଷଣ ହୋଇ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ସର୍ବୋପରି ଓଡ଼ିଶାର ପୁରପଲ୍ଲୀର ବିଭିନ୍ନ ବର୍ଗର କଳାକାର ଗୋଷ୍ଠୀ ଯୋଗଦେଇ ନିଜ ନିଜ କଳାକୃତି ପରିବେଷଣ କରି ମେଗା ମଞ୍ଚରେ ଅଭିନୟ କରି ଅଗଣିତ ଦର୍ଶକଙ୍କୁ ବିମୋହିତ କରିଥିଲେ ।

Leave A Reply

Your email address will not be published.