- ପ୍ରତିଶ୍ରୁତି ରକ୍ଷାକରି ସରକାର ମାସିକ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବରିଷ୍ଠ ନାଗରିକଙ୍କ ଶାରୀରିକ, ମାନସିକ, ପାରିବାରିକ, ସାମାଜିକ ଓ ଆର୍ଥିକ ସମସ୍ୟା ସମ୍ପର୍କରେ ଆଲୋଚନା ଓ ପ୍ରତିକାର ଲକ୍ଷ୍ୟ ନେଇ ଗୁରୁବାର ନୂଆ ବର୍ଷ ଅବସରରେ ଡେଲାଙ୍ଗ ବ୍ଲକର ଲୁଣା ନଦୀକୂଳରେ ଅବସ୍ଥିତ ମୁନିନ୍ଦାର ଆରାଧ୍ୟ ଶ୍ରୀବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପରିସରରେ ବରିଷ୍ଠ ନାଗରିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଲଛମନ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମୁନିନ୍ଦା, ବେଲପଡା, ମୋହନପୁର, ଡାକପଡା, ଅଳଓତା, ବରକେରା, ଚାନ୍ଦୋଳ, ସାନ ମୁନିନ୍ଦା, ଯୁଇଲୁଣ୍ଡା, ସେବତୀପୁର ପୂର୍ବପାରି ଆଦି ଗ୍ରାମର ଚାରି ଶହରୁ ଉର୍ଦ୍ଧ୍ଵ ବୟସ୍କ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିଲେ । ନିର୍ବାଚନ ପୂର୍ବରୁ ଷାଠିଏ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିବା ସ୍ଥଳେ ସରକାର ଗଠନର କୋଡିଏ ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏହା ବୃଦ୍ଧି ହୋଇନଥିବାରୁ କେତେକ ବୟସ୍କ ପୁରୁଷ ଓ ମହିଳା କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଗ୍ରାମ ପଂଚାୟତ ନିର୍ବାଚନ ପୂର୍ବରୁ ଏହା ବୃଦ୍ଧି କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ନିବେଦନ କରିଥିଲେ । ବରକେରା ଗ୍ରାମର ସାମାଜିକ କର୍ମୀ ରଜନୀକାନ୍ତ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସମାବେଶରେ ଚିତ୍ତରଞ୍ଜନ ପ୍ରଧାନ, ଋଷ୍ୟଶୃଙ୍ଗ ପ୍ରଧାନ, ପ୍ରକୃତି ପ୍ରେମୀ ମିଟୁକିଶୋର ପ୍ରଧାନ, ଜଟାଧାରୀ ପରିଡା, ଦୀନବନ୍ଧୁ ପରିଡା, ନୀଳାଚଳ କୃଷକ ମହାସଂଘ ରାଜ୍ୟ ଉପ ସଭାପତି ପ୍ରକାଶ ଚନ୍ଦ୍ର ନାୟକ, ବର୍ଷୀୟାନ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ଗାୟକ ଲକ୍ଷ୍ମୀଧର ବିଶ୍ୱାଳ ଓ ତାଙ୍କ ସାଥିମାନେ ସଂକୀର୍ତ୍ତନ ପରିବେଷଣ ପୂର୍ବକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ ।