ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରର କାର୍ଯ୍ୟରତ ଅର୍ଗସ ନ୍ୟୁଜ ପ୍ରତିନିଧି, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ, ତଥା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ହୁଲେଶ୍ୱର ହଂସଙ୍କୁ ସାମ୍ବାଦିକ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଥିବା ଶକ୍ତି ଟିଭିର ପଞ୍ଚମ ରାଜ୍ୟସ୍ତରୀୟ ସ୍ଵନକ୍ଷତ୍ର ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ଶକ୍ତି ଟିଭିର ପ୍ରତିଷ୍ଠାତା ମୁଖ୍ୟ ସମ୍ପାଦକ ଡ଼ଃ କ୍ରିଷ୍ଣା ସେଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଭବାନୀପାଟଣା ବିଧାୟକ ଅନାମ ନାଏକ ଯୋଗଦେଇ ଉପଢଉକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ସମ୍ମାନୀୟ ଅତିଥି ଭାବେ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଶ୍ରୀ ହଂସ ଦୀର୍ଘ ୧୫ ବର୍ଷ ହେଲା ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟକରି ଗାଁ ହେଉକି ସହର, ଉପାନ୍ତ ହେଉ କି ସୀମାନ୍ତ, ଅପହଞ୍ଚ ହେଉ କି ଦୁର୍ଗମ ସବୁ ଅଞ୍ଚଳକୁ ଯାଇ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରି ସରକାର ଓ ପ୍ରଶାସନ ନିକଟକୁ ଖବର ପ୍ରସାରଣ କରି ସମସ୍ୟାକୁ ସମାଧାନ କରିବାରେ ଆଗେଇ ଆସିଥାନ୍ତି । ଅର୍ଗସ ନ୍ୟୁଜରେ ଗତ ୨୦୨୧ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୂଚାରୁ ରୂପେ କାର୍ଯ୍ୟକରି ଆସୁଛନ୍ତି । ଶ୍ରୀ ହଂସଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ, ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା, ମା’ ସାହାଜି ଯୁବକ ସଂଘ କପିଲାଭଟା, ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି କପିଲାଭଟା, କୋଶଲ ଯୁବ ଶକ୍ତି ବଙ୍ଗୋମୁଣ୍ଡା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସାମ୍ବାଦିକ ମାନେ ସାମିଲ ହୋଇଥିଲେ ।