ଜନନୀର ଯନ୍ତ୍ରଣା : ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ନବଜାତ ଶିଶୁ ଓ ମାଁକୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ : ରାସ୍ତା ନଥିବାରୁ ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ନବଜାତ ଶିଶୁ ଓ ମାକୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ । ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଦେବଗଡ ଜିଲ୍ଲାର ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ଅନ୍ତର୍ଗତ ମାଘୁମୁଣ୍ଡା ଗ୍ରାମରୁ । ସୂଚନା ଅନୁସାରେ, ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବା ଯୋଗୁଁ ଜଣେ ଗର୍ଭବତୀ ରାସ୍ତାରେ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ଜଣାପଡିଛି । ମାଘୁମୁଣ୍ଡା ଗ୍ରାମର ଚାରୁ ମୁଣ୍ଡାଙ୍କ ସ୍ତ୍ରୀ ବାହାଲ ହେମ୍ବ୍ରମଙ୍କ ଆଜି ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ ହୋଇଥିଲା । ପରିବାର ଲୋକେ ନିକଟସ୍ଥ ଆଶା ଦିଦିଙ୍କ ଜରିଆରେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ କର୍ମଚାରୀମାନେ ପ୍ରାୟ ଅଢେଇ କିଲୋମିଟର ରାସ୍ତା ଚାଲି ଚାଲି ଯାଇ ସେଠାରେ ପହଞ୍ଚି ଥିଲେ । ମାତ୍ର ସେତେବେଳେ ଗର୍ଭବତୀ ବାହାଲ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ହସ୍ପିଟାଲକୁ ପହଞ୍ଚା ଯାଇଛି । ଏ ଘଟଣା ନୂଆ ନୁହେଁ, କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଘଟଣା ବାରମ୍ୱାର ଘଟୁଥିଲେ ମଧ୍ୟ ଏନେଇ କାହାର ନଜର ପଡୁନାହିଁ ।

Leave A Reply

Your email address will not be published.